ଜୟପୁର-କୋଟା ଛକ ରାଜପଥ ମରଣଯନ୍ତା

ଜୟପୁର-କୋଟା ଛକ ରାଜପଥ ମରଣଯନ୍ତା
ଗୋବିନ୍ଦ ତ୍ରିପାଠୀ, କୋରାପୁଟ
କୋରାପୁଟ,୪/୫: କୋରାପୁଟ ଜିଲ୍ଲାର ଜୟପୁରଠାରୁ ମାଲକାନାଗିରି ଦେଇ ୩୨୬ ନଂ ଜାତୀୟ ରାଜପଥ ଯାଇଛି | କିନ୍ତୁ ଜୟପୁରରୁ କୋଟା ଛକ ପ୍ରାୟ ୧୪ କିମି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତା ବହୁ ବର୍ଷ ହେଲା ମରାମତି ହେଉନଥିବା ନେଇ ଅଭିଯୋଗ ହେଉଛି। ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ଭ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରହିଥିବା ହମ୍ପସ ମଧ୍ୟରେ ମଧ୍ୟ ଖାଲଖମା ହୋଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଗଛ ଛାଇ ଯୋଗୁଁ ରାସ୍ତାର ଖାଲଖମା ଜଣାପଡ଼ୁନି | ଫଳରେ ଏହି ରାସ୍ତାରେ ବିଶେଷ କରି ଦୁଇଚକିଆ ଓ ଚାରିଚକିଆ ଯାନବାହାନ ଚଳାଚଳ ସମୟରେ ସମସ୍ୟା ଦେଖାଦେଉଛି ।
ଏହି ରାସ୍ତା ବୈପାରିଗୁଡ଼ାଠାରୁ ମାଲକାନାଗିରି ଓ ହାଇଦ୍ରାବାଦ ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ଦୈନିକ ଶହ ଶଡ ଯାତ୍ରୀବାହୀ ବସ୍ ଓ ଭାରୀଯାନ ଯାତାୟାତ କରୁଛି| ଏତେ ସଂଖ୍ୟାରେ ଗାଡ଼ି ଯାତାୟାତ କରୁଥିଲେ ହେଁ ଜୟପୁରଠାରୁ କୋଟା ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ବିଭାଗ
ପକ୍ଷରୁ ମରାମତି ପାଇଁ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି। ଏ ନେଇ ଜାତୀୟ ମାନବାଧିକାର କର୍ମୀ ଅନୁପ ପାତ୍ରଙ୍କ କହିବା ଅନୁଯାୟୀ, ସମ୍ବିଧାନର ୨୧ ଧାରା ଅନୁଯାୟୀ ପ୍ରତି ନାଗରିକଙ୍କୁ ଭଲ ରାସ୍ତା ପାଇବାର ଅଧିକାର
ରହିଛି। ଜୟପୁର ଗାନ୍ଧୀ ଛକରୁ ମହୁଲି ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥା ଗାନ୍ଧୀ ଛକରୁ ମହୁଲି ପର୍ଯ୍ୟନ୍ତ ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ପାଇଁ ୫ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଥିଲେ ମଧ୍ୟ ଚୁକ୍ତି ପାଳନ କରନି।ଫଳରେ ଜାତୀୟ ରାଜପଥ ଖାଲଖମାରେ
ପରିଣତ ହୋଇ ଦୁର୍ଘଟଣା ବୃଦ୍ଧି ପାଇବା ସହ ଯାତ୍ରୀମାନେ ଧୂଳି କଣାରୁ ନିସ୍ତାର ପାଉନାହାନ୍ତି। ଏ ନେଇ ଗତ ଜାନୁଆରି ମାସରେ ଶ୍ରୀ ପାତ୍ର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି କରିଥିଲେ । ତଥାପି କୌଣସି ପଦକ୍ଷେପ ନିଆଯାଉନଥିବା କହିଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଉକ୍ତ ଠିକା ସଂସ୍ଥାର ଚୁକ୍ତି ବାତିଲ କରି ତୁରନ୍ତ ଏହି ରାସ୍ତାର ନବୀକରଣ କରାଯିବା ପାଇଁ ସେ ଦାବି କରିଛନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଜୟପୁରରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ୬ଥାକିଆ ଅର୍ଥନୈତିକ କରିଡର କରିବା ପାଇଁ ପ୍ରସ୍ତାବ ରହିଛି। ଏ ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଗୌରାଙ୍ଗ ପ୍ରସାଦ ମାଝୀଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥା ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଚୁକ୍ତି କରିଥିଲା। କିନ୍ତୁ ଉକ୍ତ ସଂସ୍ଥା ରାସ୍ତା ମରାମତି କରୁନି ଏହି ଠିକା ସଂସ୍ଥାର ମରାମତି କାମକୁ ବାତିଲ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖା ଯାଇଥିବା କହିଛନ୍ତି ।



