ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଉତ୍ସବ, ଲମତାପୁଟ

ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଉତ୍ସବ, ଲମତାପୁଟ
ଆଜି ତା. ୨୪.୦୪. ୨୦୨୬ ରିଖ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲମତାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜୟନ୍ତ ମେହେର, ବ୍ଲକ ଅଧ୍ୟକ୍ଷ ଶ୍ରୀ ତାପସ କୁମାର ଚାଲାଣ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଙ୍ଗି, ବିଧାୟକ ପ୍ରତିନିଧି ଶ୍ରୀ ଆଦିତ୍ୟ ଶିଶା ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଲମତାପୁଟ ବ୍ଲକର ୧୫ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ଅଙ୍ଗନୱାଡି କର୍ମୀ, ପୋଲିସ ବିଭାଗ, ଅଗ୍ନୀଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।
ତ୍ରିସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ବଲାଙ୍ଗିର ଗାନ୍ଧି ଷ୍ଟାଡ଼ିୟମ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳନର ସିଧା ପ୍ରସାରଣ ଲମତାପୁଟ ବ୍ଲକ କାର୍ଯ୍ୟାଳୟରେ ଆଭାସୀ ମାଧ୍ୟମରେ ପ୍ରସାରଣ କରାଯାଇଥିଲା । ପଞ୍ଚାୟତ ସ୍ତରରେ ଏବଂ ଗ୍ରାମାଞ୍ଚଳର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମତ ପ୍ରକାଶ କରିଥିବା ହେତୁ ଅଞ୍ଚଳରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଲମତାପୁଟ ବ୍ଲକର ୧୬୧ ଜଣ ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନା ମାଧ୍ୟମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କାର୍ଯ୍ୟାଦେଶ ନେବାର ୩ ମାସ ଭିତରେ ଗୃହ କାର୍ଯ୍ୟ ସମାପ୍ତ କରିଥିବାରୁ ପ୍ରତ୍ସାହନ ରାଶି କୋଡ଼ିଏ ହଜାର ଟଙ୍କା ଦୁଇଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି, ସେମାନେ ହେବେ ଅନକାଡେଲିର ହିତାଧିକାରୀ କୁଜି ଶିଶା ଓ ପେଟା ଗ୍ରାମ ପଞ୍ଚୟତର ଶ୍ରୀ ଗଙ୍ଗାଧର ପୂଜାରୀ । ଏହା ବ୍ୟତୀତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ତଥା ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦେଇ ଉନ୍ନତମୂଳକ କାର୍ଯ୍ୟ କରିଥିବାରୁ ଚିକେନପୁଟ ଗ୍ରାମ ପଞ୍ଚାୟତକୁ ପ୍ରଥମ, ଲମତାପୁଟ ଗ୍ରାମ ପଞ୍ଚାୟତ ଦ୍ୱିତୀୟ ଓ ଅନକାଡେଲି ଗ୍ରାମ ପଞ୍ଚାୟତ କୁ ତୃତୀୟ ସ୍ଥାନରେ ପୁରସ୍କାର ପ୍ରଦାନ ଏବଂ ସମ୍ମାନୀତ କରାଯାଇଛି । ଆଭାସୀ ମାଧ୍ୟରେ ପ୍ରଦାନ କରାଯାଇଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ବକ୍ତବ୍ୟ ଶୁଣିବା ନିମନ୍ତେ ସାଧାରଣ ଜନତା ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଅରୁଣ କୁମାର ସାହୁ, ବି.ଏସ୍.ଏସ୍.ଓ ଶ୍ରୀ ସୁରେନ୍ଦ୍ର ଗୁମାଗୁଡିଆ ଏବଂ ବ୍ଲକର ସମସ୍ତ କର୍ମକର୍ତ୍ତାଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରାଯାଇଥିଲା ।



