କାର୍ଯ୍ୟକ୍ଷମ ଅପେକ୍ଷାରେ ଖୁଟୁଗୁଡ଼ା ସବ୍ଷ୍ଟେସନ୍ ଆଲୋକିତ ହେବ ୩ ବ୍ଲକର ଶତାଧିକ ଗାଁ

କାର୍ଯ୍ୟକ୍ଷମ ଅପେକ୍ଷାରେ ଖୁଟୁଗୁଡ଼ା ସବ୍ଷ୍ଟେସନ୍
ଆଲୋକିତ ହେବ ୩ ବ୍ଲକର ଶତାଧିକ ଗାଁ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ଡାବୁଗାଁ,୨/୬: ଡାବୁଗାଁ ବିଦ୍ୟୁତ୍ ସେକ୍ସନ ଅନ୍ତର୍ଗତ ଖୁଟୁଗୁଡ଼ା ଠାରେ ନିର୍ମାଣ ଚାଲିଥିବା ସବଷ୍ଟେସନ କାର୍ଯ୍ୟ ୯୫ ପ୍ରତିଶତ ଶେଷ ହୋଇଥିବା ବେଳେ ଚଳିତ ଜୁନ ମାସରେ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ମିଳିଛି। ବହୁ ପ୍ରତୀକ୍ଷିତ ଏହି ବିଦ୍ୟୁତ୍ ସବଷ୍ଟେସନ କାର୍ଯ୍ୟକ୍ଷମ ହେଲେ ଡାବୁଗାଁ ବ୍ଲକର ଜୁନାପାଣି, କୋଇଲାରୀ, ଜବାଗୁଡ଼ା, ବଡ଼ଓଲମା, ବୋରିଗାଁ, ଘୋଡ଼ାଖୁଣ୍ଟା ଓ ନନ୍ଦପୁରା ପଞ୍ଚାୟତ ସହ କୋଷାଗୁମୁଡ଼ା ବ୍ଲକର ଏକୋରି, ତାରାଗାଁ, ବାଙ୍କୁଲି, ଆଟିଗାଁ ଓ ଗୁମୁଡ଼ା ତଥା ଉମରକୋଟ ବ୍ଲକର ସିଂସାରୀ ଓ ତରେଙ୍ଗା ଗ୍ରାମପଞ୍ଚାୟତର ଶତାଧିକ ଉପଭୋକ୍ତା ବିଦ୍ୟୁତ୍ ସେବା ପାଇପାରିବେ । ୧୪କୋଟି ବ୍ୟୟରେ ବୋରିଗାଁ ନିକଟ ଖୁଟୁଗୁଡ଼ା ଠାରେ ଓଡିଏସଏସପି ଯୋଜନାରେ ଚାଲିଆସିଥିବା ୩୩/୧୧ କେଭି ବିଦ୍ୟୁତ୍ ସବଷ୍ଟେସନ କାମ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଚଳିତ ଜୁନ ମାସରେ କାର୍ଯ୍ୟକ୍ଷମ ହେବା ନେଇ ଆଶାବାଦୀ ରହିଛି। ତେବେ ଏହି ସବଷ୍ଟେସନ କାର୍ଯ୍ୟକ୍ଷମ ପାଇଁ ଅଞ୍ଚଳବାସୀ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି କରିଆସୁଥିଲେ । ସୂଚନା
ଥାଉକି, ଏଥି ପୂର୍ବରୁ ଡାବୁଗାଁ ବିଦ୍ୟୁତ୍ ସେକ୍ସନ ଅନ୍ତର୍ଗତ ଗୁମୁଡ଼ା ଫିଡରରୁ ଉପରୋକ୍ତ ଅଞ୍ଚଳ ଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ହେଉଥିଲା । ପ୍ରାୟ ୩୦୦ କିଲୋମିଟର ପରିଧି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ହେଉଥିବା ବେଳେ ବିଦ୍ୟୁତ୍ ସମସ୍ୟା ହେଲେ ସମ୍ପୂର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହୁଥିଲା | ବିଶେଷ କରି ଝଡ଼ ବର୍ଷା ସମୟରେ ଦିନ
ଦିନ ଧରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହୁଥିଲା। ବିଦ୍ୟୁତ୍ କର୍ମଚାରୀଙ୍କୁ କାରଣ ଖୋଜିବା ପାଇଁ ୩୦୦ କିମି ଚକ୍କର ମାରିବାକୁ ପଡୁଥିଲା। ତେଣୁ ନୂତନ ସବଷ୍ଟେସନ ପାଇଁ ଘୋଡ଼ାଖୁଣ୍ଟା, ସିଂସାରୀ, ଜବାଗୁଡ଼ା ଓ ଆଟିଗାଁରେ ନୂତନ ଫିଡର କାର୍ଯ୍ୟକ୍ଷମ ହେବ ଯାହାଫଳରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଲେ ବିଭାଗୀୟ କର୍ମଚାରୀ ତୁରନ୍ତ ସଜାଡ଼ି ପାରିବେ ବୋଲି କୁହାଯାଇଛି।



