ଚାଷ ପୂର୍ବରୁ ସାର ଗୋଦାମ ଯାଞ୍ଚ କୀଟନାଶକ ଓ ବିହନ ନମୁନା ସଂଗ୍ରହ

ଚାଷ ପୂର୍ବରୁ ସାର ଗୋଦାମ ଯାଞ୍ଚ କୀଟନାଶକ ଓ ବିହନ ନମୁନା ସଂଗ୍ରହ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ରାଇଘର,ତା ୩/୬
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ହୋଇଥିବା ବେଳେ ଚାଷୀଙ୍କୁ ଚାଷ ସମୟରେ ବିଭିନ୍ନ ପ୍ରକାର ଶୋଷଣର ଶିକାର ହେବାକୁ ପଡ଼ୁଛି। ଫସଲ ଅମଳ ବେଳକୁ ମଧ୍ଯ ଫସଲ ନଷ୍ଟ ହେବା ସହ ନାନା ପ୍ରକାର ସମସ୍ୟା ଭୋଗିବାକୁ ପଡ଼ୁଛି। ଚାଷୀଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ଚାଷ କାର୍ଯ୍ୟ ପୂର୍ବରୁ ହୋଲସେଲର ଓ ରିଟେଲର ସାର ବିହନ ଦୋକାନର ବିଭିନ୍ନ ଗୋଦାମ ଗୁଡ଼ିକ ଯାଞ୍ଚ କଡ଼ାକଡ଼ି କରାଯାଇଛି । ସାର ଷ୍ଟକ ସ୍ଥିତି ଯାଞ୍ଚ, ପିଓଏସ ଡିଭାଇସ ସହିତ ମେଳ ଖାଉଥିବା ସାମଗ୍ରୀ, ଅବଧୂ ସମାପ୍ତ ପରେ କୀଟନାଶକର ବିକ୍ରି ଭଳି ଯାଞ୍ଚ ହେବା ସହ ପରୀକ୍ଷା ଲାଗି ସାର ଏବଂ ବିହନ ନମୁନା ସଂଗ୍ରହ କରାଯାଇଥିଲା ।
ଏହି ଯାଞ୍ଚ କାର୍ଯ୍ୟକ୍ରମରେ କୃଷି ବିଭାଗ ପକ୍ଷରୁ ଏଡିଓ ନିହାର ନାୟକ, ବ୍ଲକ କୃଷି ଅଧିକାରୀ ରଶ୍ମୀ ରଞ୍ଜନ ସାହୁ, ଅତିରିକ୍ତ କୃଷି ଅଧିକାରୀ ଗୀତାଞ୍ଜଳି ବରିହା, ଦିବ୍ୟଭାରତୀ ନାୟକ ପ୍ରମୁଖ ଅଧିକାରୀ ଏକ ଟିମ ହୋଇ ଦିନ ତୁରୁଡିହି, ପରଚିପାରା, କଚରାପାରା, ମହଣ୍ଡ, ଯୋଡ଼ିଙ୍ଗା, ହାଟଭରଣ୍ଡି, କୁନ୍ଦେଇ, କାଉଡୋଳା ଭଳି ଓଡ଼ିଶା ସୀମାନ୍ତ ଅଞ୍ଚଳ ଗସ୍ତ କରି ସାର ଓ
କୀଟନାଶକ ଦୋକାନ ଓ ବ୍ୟବସାୟୀ ମାନଙ୍କ ଗୋଦାମ ଯାଞ୍ଚ କରିଥିଲେ। ମଙ୍ଗଳବାର ଏହି ଯାଞ୍ଚ ସମୟରେ ମହଣ୍ଡ – ଗୁରୁସୀଙ୍ଗା ଅଞ୍ଚଳରେ ଏକ ଟ୍ରକ ଗାଡି ନମ୍ବର ଓଡ଼ି୧୦ଡି୩୦୦୭ ଯୋଗେ ସାର ବେଆଇନ ଯାଉଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଉକ୍ତ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଉକ୍ତ ସାର ହୋଲସେଲର ପାଣିଗ୍ରାହୀ ଟ୍ରେଡର୍ସ, ସୁରଜ ଟ୍ରେଡର୍ସ ପାଖରେ ୨ଶହ ବସ୍ତା ଓ ଜ୍ୟୋତି ଟ୍ରେଡର୍ସ ପାଖରେ ୩ଶହ ବସ୍ତା ଚାଷୀଙ୍କ ବିକ୍ରୟ ନିମନ୍ତେ ଯାଉଥିବା ଜଣାପଡ଼ିଥିଲା I ଆଇଡି ଟ୍ରାକ ନମ୍ବର ୧୨୯ ୭୩୯୩ ଓ ୧୫୬୬୮୦୭ଅନୂଯାୟୀ ସାର ଯାଉଥିବା ତଦନ୍ତରୁ ଜଣାପଡିଛି। ରାଇଘର ବ୍ଲକ ଏକ ଆଦିବାସୀ ଅଧ୍ୟଷିତ ଅଞ୍ଚଳ ରୂପେ ପରିଚିତ। ଏହି ବ୍ଲକରେ ୨୬ ଗୋଟି ପଞ୍ଚାୟତର ଅବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ଏଠାରେ ମୁଖ୍ୟତଃ ଧାନ ଓ ମକା ଚାଷ କରାଯାଇଥାଏ। ପ୍ରତି ବର୍ଷ ସାର ଲାଗି ଚାଷୀ ହାହାକାର ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ଚାଷ କାର୍ଯ୍ୟ ଆରମ୍ଭରୁ ବର୍ତ୍ତମାନ ସମୟରେ ସାର ନିମନ୍ତେ ଚାଷୀ ନାନା ସମସ୍ୟା ସମ୍ମୁଖୀନ ହେଉଥିବା ବେଳେ ଅଭାବୀ ସମସ୍ୟା ଦୂରୀକରଣ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ରହିଛି।



