ପ୍ରକଳ୍ପ ଅଛି, ଶୋଷ ମରୁନି ପାଣି ପାଇଁ ନବରଙ୍ଗପୁର ଜିଲ୍ଲାରେ ହାହାକାର

ପ୍ରକଳ୍ପ ଅଛି, ଶୋଷ ମରୁନି
ପାଣି ପାଇଁ ନବରଙ୍ଗପୁର ଜିଲ୍ଲାରେ ହାହାକାର
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ନବରଙ୍ଗପୁର, ୧/୫: ବିଶୁଦ୍ଧ ପାଣି ଟୋପାଏ ପାଇଁ ନବରଙ୍ଗପୁର ଜିଲ୍ଲାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶହ ଶହ କୋଟି ବ୍ୟୟରେ ନିର୍ମାଣ ଚାଲିଥିବା ପ୍ରକଳ୍ପ କାମ ସରୁନି, ଖରା ଦିନରେ ହାହାକାର ପରିସ୍ଥିତି ସୃଷ୍ଟି ହେଲାଣି ବିଶେଷ କରି ଜନବସତିରେ ସ୍ଥିତି ସଙ୍ଗିନ୍ ହୋଇ ପଡ଼ିଛି ଜିଲ୍ଲାର ଚନ୍ଦାହାଣ୍ଡି, ଝରିଗାଁ, ରାଇଘର, ଉମରକୋଟ, ପାପଡ଼ାହାଣ୍ଡି, ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଅଧିକାଂଶ ନଳକୂପରୁ ପାଣି ବାହାରୁନି।
ଜିଲ୍ଲାର ୧୮୯ ପଞ୍ଚାୟତର ୮୫୫ଟି ରାଜସ୍ବ, ୩୨୭୨ଟି ପଡ଼ାଗାଁର ୧୩ଲକ୍ଷ ୨୨ହଜାର ଜନସଂଖ୍ୟା ଲାଗି ସରକାର ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଗତ ୭ବର୍ଷ ଧରି ୫ଟି ସ୍ଥାନରେ ୧୦୫୩.୦୯ କୋଟି ବ୍ୟୟରେ ପ୍ରକଳ୍ପ ନିର୍ମାଣ ହେଉଥିଲେ ମଧ୍ୟ ଧାର୍ଯ୍ୟ ସମୟରେ କାମ ସରୁନଥିବାରୁ ଠିକାସଂସ୍ଥାରୁ ୧୦ କୋଟି
୮୪ ଲକ୍ଷର ଜରିମାନା ଆଦାୟ କରିଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ ମେଗା ପ୍ରକଳ୍ପକୁ ଛାଡ଼ିଲେ ୩୦୯୩୩୫ଟି ଘରକୁ ପ୍ରଶାସନ ନଳକୂଅ, ସୋଲାର ଓ ଗ୍ରାମ୍ୟଜଳଯୋଗଣ ବ୍ୟବସ୍ଥାରେ ପାଣି ଯୋଗାଉଛି। ୫ଟି ମେଗା ପ୍ରକଳ୍ପ ମଧ୍ୟରୁ ୨ଟି ପ୍ରକଳ୍ପରୁ ୧୫୫ ଗାଁକୁ ପାଣି ମିଳୁଛି। ଜିଲ୍ଲାର ୧୦ ବ୍ଲକ୍ରେ ଥିବା ୧୯୭୩୩ଟି ନଳକୂଅରୁ ୧୯୭୨୨ଟି କାର୍ଯ୍ୟକାରୀ ହେଉଛି। ସେହିପରି ୫୧୪ ସୋଲାର୍ ପ୍ରକଳ୍ପରୁ ୪୭୮ଟି କାର୍ଯ୍ୟକ୍ଷମ ଅଛି। ଗ୍ରାମ୍ୟ ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ ୫୧୫ଟି ପ୍ରକଳ୍ପ ମଧ୍ୟରୁ ୫୦୯ଟିରୁ ଜଳଯୋଗାଣ ହେଉଛି।
କୋଷାଗୁମୁଡ଼ା ବ୍ଲକ୍ ଦେଇ ପ୍ରବାହିତ ଇନ୍ଦ୍ରାବତୀ ନଦୀର ଘାଟବାସୁଲିରେ ଇନଟେକ୍ୱେଲ୍ କରି ବ୍ଲକ୍ର ୧୧ଟି ପଞ୍ଚାୟତର ୫୩ଗାଁରୁ ୫୧ଗାଁକୁ ପାଇପ ବିଛାଇ ଜଳଯୋଗାଣ ଆରମ୍ଭ ହୋଇଛି। ତେନ୍ତୁଳିଖୁଣ୍ଡି ବ୍ଲକ୍ର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଇନଟେକ୍ୱେଲ କରି ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଡି
୨ ବ୍ଲକ୍ର ୪୦ଟି ପଞ୍ଚାୟତର ୧୦୦ଗାଁ, ଇନ୍ଦ୍ରାବତୀ ଜଳଭଣ୍ଡାରରେ ଇନଟେକ୍ୱେଲ୍ କରି ପାପଡ଼ାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡ଼ା ବ୍ଲକ୍ର ୪୦ଟି ପଞ୍ଚାୟତର ୧୬୦ଗାଁକୁ ଜଳଯୋଗାଣ ଲକ୍ଷ୍ୟ ରହିଛି। ଚନ୍ଦାହାଣ୍ଡି ବ୍ଲକ୍ର ବେହେରାମୁଣ୍ଡା ତେଲନଦୀରେ ଇନଟେକ୍ୱେଲ୍ କରି ବ୍ଲକ୍ର ୧୩ଟି ପଂଚାୟତର ୮୬ଗାଁକୁ, ଇନ୍ଦ୍ରାବତୀ ନଦୀର ଟିକିରାଛୁଆଁରେ ଇନଟେକ୍ୱେଲ୍ କରି ଡାବୁଗାଁ ଓ ଝରିଗାଁ ବ୍ଲକ୍ର ୨୪ ପଂଚାୟତର ୧୩୫ ଗାଁକୁ ପାଣି ଯୋଗାଣ ଲକ୍ଷ୍ୟ ରହିଛି | ମେଗା ପ୍ରକଳ୍ପ କାମ ସରୁନଥିବା ବେଳେ ନୂଆ ନଳକୂଅ ଖୋଳିବାକୁ ବିଭାଗ ଅନୁମୋଦନ ଦେଉନି।



