
ଭଞ୍ଜନଗର,୭/୮: ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ‘ବେବି ଫ୍ରେଣ୍ଡଲି’ ଡାକ୍ତରଖାନା ଭାବେ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଛି।
ରାଜ୍ୟରେ ୭ ଜିଲ୍ଲା ଚିକିତ୍ସାଳୟ ଓ ୭ ଟି ଉପଖଣ୍ଡ ଚିକିତ୍ସାଳୟ ଓ ୬ ଟି ସିଏଚ୍ସିକୁ ଏଭଳି ପୁରସ୍କୃତ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଦ୍ବିତୀୟ ସ୍ଥାନ ପୁରସ୍କାର ପାଇବା ପାଇଁ ମନୋନୀତି ହୋଇଥିଲା। ଏଥିସହ ରାଜ୍ୟର ୬୭ ଟି ଏନ୍ଆରସି ମଧ୍ୟରେ ତୃତୀୟ ସ୍ଥାନ ଅଧିକାରୀ କରି ପୁରସ୍କୃତ ହୋଇଛି।
ଆଜି ଭୂବନେଶ୍ବର ଠାରେ ସ୍ତନ୍ୟପାନ ସପ୍ତାହ ଉଦ୍ଯାପନୀ ଉତ୍ସବ ପାଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲ। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ,ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ବିଜୟ ମହାପାତ୍ର,ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଡା.ରାଜଶ୍ରୀ ପଟ୍ଟନାୟକ,ଜନସ୍ବାସ୍ଥ ବିଭାଗ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମାତୃ ଓ ଶିଶୁଙ୍କୁ ସ୍ବାସ୍ଥ ସେବା କ୍ଷେତ୍ରରେ ଉକ୍ତ ଡାକ୍ତରଖାନା ଗୁଡିକର ଉଲ୍ଲେଖନୀୟ ଅବଦାନ ରହିଥିବା ବେଳେ ନବଜାତ ଶିଶୁଙ୍କ ସ୍ତନ୍ୟପାନ ପାଇଁ ଉତ୍ତମ ବାତାବରଣ ସୃଷ୍ଟି କରିବାରେ କେନ୍ଦ୍ର ସ୍ବାସ୍ଥ ବିଭାଗର ରହିଥିବା ସମସ୍ତ ଗାଇଡଲାଇନକୁ ଠିକ ଭାବେ ପରିଚାଳନା କରାଯାଉଥିବାରୁ ଏଭଳି ପୁରସ୍କାର ପ୍ରଦାନ କରାଯାଇଥିବା ଭଞ୍ଜନଗର ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ,ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ। ଅପରପକ୍ଷେ ମେଡ଼ିକାଲର ସାଧାରଣ ସ୍ବାସ୍ଥ୍ୟ ସେବା ସନ୍ତୋଷଜନକ ନାହିଁ। ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ନର୍ସ ସମେତ ଅନ୍ୟାନ୍ୟ ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ବର୍ତ୍ତମାନ କାର୍ଯ୍ୟରତ ଡାକ୍ତର ଏବଂ ନର୍ସମାନଙ୍କ ଉପରେ କାର୍ଯ୍ୟ ଚାପ ବଢୁଛି।
ସାମାନ୍ୟ ରୋଗରେ ମଧ୍ୟ ଅନେକ ସମୟରେ ଭଞ୍ଜନଗର ମେଡିକାଲରୁ ରୋଗୀ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଉଛି । ପୁରସ୍କାର ମିଳିଥିବା ଦୁଇଟି ବିଭାଗରେ ସବୁ ଠିକ ଅଛି। ହେଲେ ଅନ୍ୟ ବିଭାଗ ଗୁଡ଼ିକର ମଧ୍ୟ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।