ଦୁଷ୍ମର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ

ଭଞ୍ଜନଗର,୦୯/୦୭: ଭଞ୍ଜନଗର ଥାନା ଅଧିନରେ ହୋଇଥିବା ଏକ ଦୁଷ୍ମର୍ମ ମାମଲାର ଶୁଣାଣୀ କରି ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡରେ ଭଞ୍ଜନଗର ଆସିଷ୍ଟାଣ୍ଡ ସେସନ୍ ଜଜ ଦେବାଶିଷ ବିଷୋୟୀ ଦଣ୍ଡିତ କରିଛନ୍ତି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧିନ ଭଗବତପାଟଣାରେ ଗତ ୨୦୦୮ ମସିହା ଜାନୁଆରୀ ୧୪ ତାରିଖରେ ଘଟିଥିବା ଉକ୍ତ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଆସାମୀ ଚିତ୍ରସେନ ବରଡକୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ପ୍ରକାଶ କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ କରାଯାଇଥିବା ସରକାରୀ ଆଇନଜୀବୀ ଦିବାକର ନାୟକ ସୂଚନା ଦେଇଛନ୍ତି। ଘଟଣା ଦିନ ଚିତ୍ରସେନ ଜୋରଜବରଦସ୍ତ ଘରେ ପଶି ଯୁବତୀଙ୍କ ସହ ଦୁଷ୍କର୍ମ କରିବା ସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ପରିବାର ଲୋକଙ୍କୁ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ବୋଲି ସରକାରୀ ଓକିଲ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏନେଇ ସେହି ସମୟରେ ଭଞ୍ଜନଗର ଥାନାରେ ଅଭିଯୋଗ ହେବାପରେ ପୁଲିସ୍ କେସ୍ ନମ୍ବର୧୬/୨୦୦୮ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ କେସ୍ ନମ୍ବର ଏସ୍ଟି ୫/୨୦୦୮ ମାମଲାର ବିଚାରଣ କରି ଏଥିରେ ୧୧ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ କୋର୍ଟ ଏଭଳି ରାୟ ପ୍ରକାଶ କରିଥିବା ଶ୍ରୀ ନାୟକ କହିଛନ୍ତି।



