
ମାଲକାନଗିରି, ୦୨/୦୭: ଗତ ଜୁନ୍ ୨୧ ତାରିଖ ୨୦୨୫ ରେ ଘଟିଥିବା ମାଲକାନଗିରି ଜିଲ୍ଲାର ମାଟାପାକା ପଞ୍ଚାୟତର କତାମାଟେରୁ ଗାଁରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ସମ୍ପର୍କରେ ଅତ୍ୟନ୍ତ ଜରୁରୀ ଏବଂ ଗମ୍ଭୀର ଚିନ୍ତା ସହିତ ମାଲକାନଗିରି ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ମଞ୍ଚ ତରଫରୁ ପ୍ରଦାନ କରାଯାଉଛି l ମାଲକାନଗିରି ବସଷ୍ଟାଣ୍ଡ ଥିବା ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇ ଡି. ଏନ. କେ. ଖେଳପଡ଼ିଆ ପର୍ଯ୍ୟନ୍ତ ହଜାର ହଜାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ଏକ ଶାନ୍ତି ଶୋଭା ବାହାର କରିଥିଲେ l
ଏହି ଶୋଭାଯାତ୍ରାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇଥିଲେ l କତାମାଟେରୁ ଠାରେ ହୋଇ ଥିଲା ହିଂସା କାଣ୍ଡରେ ୩୦ ରୁ ଅଧିକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଲୋକ ଆହତ ହୋଇଥିଲେ । ଏବଂ ୧୦ ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଥିଲେ l ଗତ ଜୁନ ୨୨ ତାରିଖ ୨୦୨୫ ରେ ୧୬ ଜଣ ଅଭିଯୁକ୍ତଙ୍କ ନାମରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ମଞ୍ଚ ତରଫରୁ ଦିଆଯାଇଥିଲା l
ପୋଲିସ ମାଲକାନଗିରି ଥାନା କେଶ ନଂ. ୩୧୫/୨୦୨୫ ରେ ଏକ ମାମଲା ରୁଜୁ କରିଥିଲା। ଆଜି ପର୍ଯ୍ୟନ୍ତ ମାଲକାନଗିରି ପୋଲିସ ହିଂସାକାଣ୍ଡ ଘଟଣାରେ ସଂପୃକ୍ତଥିବା କୌଣସି ଅପରାଧୀମାନଙ୍କୁ ଗିରଫ କରିନାହାନ୍ତି କି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି l ମାଲକାନଗିରି ପୋଲିସ କର୍ତ୍ତବ୍ୟରେ ଏକ ଚରମ ଅବହେଳା ଏବଂ ଆଇନର ଶାସନକୁ ଦୁର୍ବଳ କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲଖ କରାଯାଇଛି l ଆକ୍ରମଣର ଶିକାର ହୋଇଥିବା ଲୋକମାନେ କେବଳ ସେମାନଙ୍କର ଶାରୀରିକ ଆଘାତ ହେବା ସହ ଅତ୍ୟନ୍ତ ଭୟ ଏବଂ ଅସୁରକ୍ଷିତ ଭାବରେ ଦିନ ଅତିବାହିତ କରୁଅଛନ୍ତି।
VID-20250702-WA0021 (1)
ସେମାନେ ନିଜ ଘର ଏବଂ ଗ୍ରାମକୁ ଫେରିବା ପାଇଁ ଭୟଭୀତ ମନେ କରୁଥିଲାସବେଳେ ଅଭିଯୁକ୍ତମାନଙ୍କଠାରୁ ଅଧିକ ପ୍ରତିଶୋଧ ଏବଂ ଆସନ୍ନ ହିଂସା କାଣ୍ଡ ଆଶଙ୍କାରେ କିଛି ଲୋକେ ପଳାୟନ କରିଛି । ଏହି ଭଳି ସ୍ପର୍ଶକାତର ଘଟଣାରେ ତୁରନ୍ତ ମାଲକାନଗିରି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମାନ୍ୟବର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବି ପ୍ରଦାନ କରାଯାଇଛି l ଦାବି ଗୁଡିକ ହେଲା ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେବା, ନିରପେକ୍ଷ ଭାବେ ତଦନ୍ତ କରିବା, ଆକ୍ରମଣ କରିଥିବା ସମସ୍ତ ଲୋକଙ୍କ ବିରୁଦ୍ଧରେ ଉପଯୁକ୍ତ ଆଇନଗତ ଅଭିଯୋଗ ଗ୍ରହଣ କରିବା,କୋତାମାଟେରୁ ଏବଂ ଆଖପାଖ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା,ଆହତ ପୀଡିତଙ୍କୁ ରିଲିଫ୍ ପ୍ରଦାନ କରିବା । ଏହି ଗୁରୁତର ଅନ୍ୟାୟକୁ ସମାଧାନ କରିବା ଏବଂ କୋତାମାଟେରୁ ଗ୍ରାମରେ ଶାନ୍ତି ଏବଂ ସୁରକ୍ଷା ଫେରାଇ ଆଣିବା ପାଇଁ ମହାମହିମ ରାଜ୍ୟପାଳଙ୍କ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ପାଇଁ ଜିଲ୍ଲା ଖ୍ରୀଷ୍ଟିଆନ ମୋର୍ଚ୍ଚା ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଶାନ୍ତି ଶୋଭା ଯାତ୍ରାରେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ସଭାପତି ପଲ୍ଲବ ଲିମା, ମାନସ ଚୌଧୁରୀ,ସାବତ ସୁନା,ଦୟାନିଧି ଖୋସଲା, ଜିତେନ୍ଦ୍ର ପାତ୍ର, ଯାକୁବ ଘଣ୍ଟ, ଇଶ୍ମାଏଲ ପାତ୍ର, ବ୍ରଜ ନାଗ, ମାଲକାନଗିରି ଖ୍ରୀଷ୍ଟିଆନ ମଞ୍ଚର ସଭାପତି ବିଜୟ ପୁସୁରୁ, ସଂପାଦକ ସମୁଏଲ ଗରଡ଼ା, ସର୍ବ କୁମାର ବିଶୋଇ ସହ ହଜାର ହଜାର ଲୋକେ ଉପସ୍ଥିତ ରହିଥିଲେ ।