
ନବରଙ୍ଗପୁର,ତା 22/6 :ଜାତୀୟ ମାନଚିତ୍ରରେ ପଛୁଆ ଜିଲ୍ଲା ଭାବେ ପରିଚିତ ଆଦିବାସୀ ଅଧ୍ଯୁଷିତ ନବରଙ୍ଗପୁର ଜିଲ୍ଲାରେ ସ୍ବାସ୍ଥ୍ୟସେବା ଅପହଞ୍ଚ ରହୁଥିବା କାରଣରୁ ଗରୀବ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆବଶ୍ୟକ ବିଶେଷଜ୍ଞ ଓ ଡାକ୍ତର ଅଭାବରୁ ଭଗବାନଙ୍କ ଭରସାରେ ରହିବା ସହ ଚିକିତ୍ସା ସୁବିଧା ମିଳୁନାହିଁ। ସ୍ବାସ୍ଥ୍ୟସେବାରୁ ବତ ରୋଗୀ ରୋଗରେ ଆଉଟୁ ପାଉଟୁ ହେବା ସହ ସ୍ଥାନୀୟ ଦିଶାରୀ (ଗୁଣିଆ) ଅଥବା ନକଲି ଡାକ୍ତର (କ୍ବାକ) ଙ୍କ ଶରଣରେ ଯାଇ ସର୍ବଶାନ୍ତ ହେବା ସହ ଅକାଳରେ ଆଖୁ ବୁଜୁଛନ୍ତି। ପ୍ରତି ହଜାର ଜନସଂଖ୍ୟା ପାଇଁ ଜଣେ ଡାକ୍ତର ନାହାନ୍ତି। ଥିଲାବାଲା ପରିବାର ରୋଗୀ ପଡୋଶୀ ରାଜ୍ୟ ଉପରେ ଭରସା
କରୁଥିବା ବେଳେ ନଥିଲାବାଲା ପରିବାର ଭଗବାନଙ୍କ ଭରସାରେ ରହିଛନ୍ତି। ଡାକ୍ତର ଅଭାବରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ବଦଳରେ କେବଳ ରୋଗୀ ପ୍ରେରଣ କେନ୍ଦ୍ର ରେଫେରାଲ ସେଣ୍ଟର ଭାବରେ କାମ କରୁଛି, ଯେଉଁଠି ରୋଗୀଙ୍କ ପରିବାର ଓ ଆତ୍ମୀୟ ଆମ୍ବୁଲାନ୍ସ ଖୋଜୁଛନ୍ତି । ଡାକ୍ତର ବଦଳରେ
କ୍ବାକଙ୍କ ଉପରେ ଭରସା
ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଓ ୧୦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ୪୧ ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ନିମନ୍ତେ ୬୮ ଅନୁମୋଦିତ ବିଶେଷଜ୍ଞ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୧୫ ଜଣ ରହିଛନ୍ତି। ୫୩ ପଦବୀ ଖାଲି ପଡିଛି। ସେହିଭଳି ୩୦୭ ଡାକ୍ତର
ପଦବୀରୁ ୧୨୭ ପୂରଣ ହୋଇଥିବା ବେଳେ ୧୮୦ ପଦବୀ ଖାଲି ପଡ଼ିଛି। କେବଳ ଡାକ୍ତର ଅଭାବ ନୁହେଁ ଆବଶ୍ୟକ ସ୍ବାସ୍ଥ୍ୟ କର୍ମଚାରୀ ଅଭାବରୁ ମଧ୍ୟ ସ୍ବାସ୍ଥ୍ୟସେବା ପ୍ରଭାବିତ ହେଉଛି । ୪୦୧ ନସିଂ ଅଫିସର ପଦବୀ
ମଧ୍ୟରୁ ୯୪ ପଦବୀ ଖାଲିଥିବା ବେଳେ ୪୧ ଲ୍ୟାବ ଟେକନିସିଆନ ପଦବୀରୁ ୨୩ ଖାଲି ପଡ଼ିଛି। ୧୮ ରେଡ଼ିଓଗ୍ରାଫର ପଦବୀରୁ ୧୦ ଖାଲି ଥିବାବେଳେ ୫୨୦ ମହିଳା ସ୍ବାସ୍ଥ୍ୟକର୍ମୀ ପଦବୀରୁ ୧୦୮ ଓ ୪୭୩ ପୁରୁଷ ସ୍ବାସ୍ଥ୍ୟକର୍ମୀ
ପଦବୀ ମଧ୍ଯରୁ ୩୬୧ ଖାଲି ପଡ଼ିଛି । ୧୨୦ ଫାର୍ମାସିଷ୍ଟ ପଦବୀରୁ ୬୨ ଖାଲି ରହିଛି । ସାଧାରଣତଃ ବର୍ଷା ଋତୁରେ ଏସବୁ ଅଞ୍ଚଳରେ ଝାଡବାନ୍ତି ଓ ମ୍ୟାଲେରିଆ ବ୍ୟାପିବା ଆଶଙ୍କା ରହିଥିବା ବେଳେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ ପାଇଁ ସରକାରୀ ଚିକିତ୍ସା ସୁବିଧା କାଠିକର ପାଠ ହୋଇଯାଇଛି । ସାଧାରଣ ରୋଗୀ ଓ ଗର୍ଭବତୀ ମହିଳା ସ୍ବାସ୍ଥ୍ୟ ସେବା ପାଇଁ ହନ୍ତସନ୍ତ ହେବା ସାର ହେଉଥିବା ବେଳେ ମାତୃ ଓ ଶିଶୁ ମୃତ୍ୟୁ ରୋକାଯିବା ଚିନ୍ତାଜନକ ସ୍ଥିତି ଉପୁଜିଛି। ତେବେ ସ୍ଥାନୀୟ ଲୋକ ପ୍ରତିନିଧ ଜିଲ୍ଲା ସ୍ବାସ୍ଥ୍ୟସେବା ସ୍ଥିତି ସୁଧାରିବାକୁ ସରକାରଙ୍କ ନିକଟରେ ସ୍ବର ଶାଣିତ ନକଲେ ପରିସ୍ଥିତି ଆହୁରି ଜଟିଳ ଓ ସଙ୍ଗୀନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏଥପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହୋଇଛି।