ନାଲସାର ଛାତ୍ରଙ୍କ ବିରୋଧରେ ବାର୍‌ କାଉନସିଲ୍‌ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ତୀବ୍ର ଭର୍ତ୍ସନା

କନକବ୍ୟୁରୋ : ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ହାଇଦ୍ରାବାଦର ନାଲସାର୍‌ ଲ ବିଶ୍ବବିଦ୍ୟାଳୟର ୨୦୨୬ ବ୍ୟାଚ ଆଇନ ସ୍ନାତକଙ୍କୁ ଓକିଲ ଭାବେ ପଞ୍ଜୀକରଣ ନ କରିବାକୁ ସମସ୍ତ ରାଜ୍ୟ ବାର୍‌ ପରିଷଦକୁ ଦେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲେ ମଧ୍ୟ ବିବାଦ ଥମି ନାହିଁ। କକ୍ରୋଚ ଜନତା ପାର୍ଟି ସିଧାସଳଖ ବିସିଆଇର ଅଧ୍ୟକ୍ଷ ମନନ ମିଶ୍ରାଙ୍କୁ ଟାର୍ଗେଟ କରିବା ପ‌ରେ ସେ ବାଧ୍ୟ ହୋଇ ନିଜ ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲେ ।  ବର୍ତ୍ତମାନ ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ ମଧ୍ୟ ବିସିଆଇକୁ ତୀବ୍ର ସମାଲୋଚନା କରିଛନ୍ତି ।

ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ବିସିଆଇ ନିର୍ଦ୍ଦେଶକୁ କଡ଼ା ବିରୋଧ କରି ଏହାକୁ ସମ୍ପୂର୍ଣ୍ଣ ଅନାବଶ୍ୟକ ବୋଲି କହିଛନ୍ତି। ଏକ ଆବେଦନ ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି, ଏହା ଛାତ୍ର ଓ ତାଙ୍କ ଭିତରର ପ୍ରସଙ୍ଗ, ବିସିଆଇ ଏଥିରେ ହସ୍ତକ୍ଷେପ କରିବାକୁ କିଏ? ବାର୍‌ କାଉନସିଲର ସର୍କୁଲାର ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଜବାବ ମାଗିଛନ୍ତି ।  ପ୍ରଧାନ ବିଚାରପତି କହିଛନ୍ତି ଯେ, ଛାତ୍ର କିମ୍ବା ଅଧ୍ୟାପକଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ନୁହେଁ। ସିଜେଆଇ ଆହୁରି କହିଛନ୍ତି, ସେ ଯେତେବେଳେ ଛାତ୍ର ଥିଲେ ଏମିତି ପ୍ରତିବାଦରେ ସକ୍ରିୟ ଭୂମିକା ନେଉଥିଲେ ।

ତେଲଙ୍ଗାନାରେ ନଲସାର ଆଇନ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ସମାବର୍ତ୍ତନ ସମାରୋହରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବାକୁ ଛାତ୍ରମାନେ ବିରୋଧ କରିଥିଲେ। ବିସିଆଇ ଏହି ଅଭିଯାନ ଆରମ୍ଭ କରିଥିବା ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ବିଷୟରେ କୁଳପତିଙ୍କଠାରୁ ଏକ ତଥ୍ୟଗତ ରିପୋର୍ଟ ମାଗିଥିଲା ଓ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କୌଣସି ରାଜ୍ୟ ବାର୍‌ କାଉନସିଲରେ ୨୦୨୬ ସ୍ନାତକଙ୍କୁ ନାମ ନ ଲେଖାଇବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ବିସିଆଇ ନିଜ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିଛି।

ବିସିଆଇର ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ତଥା ବରିଷ୍ଠ ଓକିଲ ବିକାଶ ସିଂହ ତୀବ୍ର ସମାଲୋଚନା କରିଥିଲେ। ବାର୍‌ ଆସୋସିଏସନ୍‌ ମୁଖ୍ୟ କହିଥିଲେ, ବିଶ୍ୱବିଦ୍ୟାଳୟଗୁଡ଼ିକୁ ମୁକ୍ତ ଚିନ୍ତା ଓ ବିତର୍କ ପାଇଁ ସ୍ଥାନ ଭାବରେ ଉଦ୍ଦିଷ୍ଟ। କେବଳ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ସହ ମତଭେଦ ପାଇଁ ଛାତ୍ରମାନଙ୍କୁ ଆଇନ ବୃତ୍ତିରେ ପ୍ରବେଶରୁ ବାରଣ କରାଯିବାର ଧମକ ଦିଆଯିବା ଉଚିତ୍ ନୁହେଁ।      ରାଜ୍ୟ

Leave a Reply

Your email address will not be published. Required fields are marked *