ଜଳଯୋଗାଣ ପ୍ରକଳ୍ପ ଅଚଳ, ନଳକୂଅରୁ ବାହାରୁଛି ଦୂଷିତ ପାଣି ଚୁଆ ପାଣିରେ ମେଣ୍ଟୁଛି ଶୋଷ

ଜଳଯୋଗାଣ ପ୍ରକଳ୍ପ ଅଚଳ, ନଳକୂଅରୁ ବାହାରୁଛି ଦୂଷିତ ପାଣି ଚୁଆ ପାଣିରେ ମେଣ୍ଟୁଛି ଶୋଷ
ଗୋବିନ୍ଦ ତ୍ରିପାଠୀ, ରିପୋର୍ଟ୍,ରାୟଗଡା
କଲ୍ୟାଣସିଂହପୁର, ୭/୫ : ୪ ମାସ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି । ଏକମାତ୍ର ନଳକୂଅରୁ ଦୁର୍ଗନ୍ଧ ଏବଂ ଲୁହାଗୁଣ୍ଡ ଦୂଷିତ ପାଣି ବାହାରୁଛି । ବିକଳ୍ପ ନଥିବାରୁ ଝରଣାର ଦୂଷିତ ପାଣିରେ ଶୋଷ ମେଣ୍ଟାଉଛତି ଗ୍ରାମବାସୀ । ବିଶୁଦ୍ଧ ପାଣି ମୁଦିଏ ପାଇଁ ଗାଁଲୋକେ ଡହଳବିକଳ ହେଉଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବୃକ୍ ପାର୍ସାଲି ପଞ୍ଚାୟତ ନିର୍ଗୁଣ୍ଡି ଗ୍ରାମବାସୀ । ତୁରନ୍ତ ପାଣି ସମସ୍ୟା ଦୂର କରିବା ପାଇଁ ସେମାନେ ଦାବିକରିଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଗାଁରେ ବିଭିନ୍ନ ସଂପ୍ରଦାୟର ପ୍ରାୟ ୨୦ ପରିବାର ବାସ କରୁଛନ୍ତି। ଲୋକସଂଖ୍ୟା ଶହେରୁ ଅଧିକ । ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ପ୍ରଶାସନ ତରଫରୁ ଗୋଟିଏ ନଳକୂଅ ଖୋଳଯାଇଛି। ଦୁଃଖର ବିଷୟ, ଏହି ନଳକୂଅରୁ ବାହାରୁଥିବା ପାଣି ଦୁର୍ଗନ୍ଧ ହେଉଛି । ବିଭିନ୍ନ ସମୟରେ ପାଣି ସହିତ ଲୁହାଗୁଣ୍ଡ ବାହାରୁଛି। ଯାହା ପିଇବା ଉପଯୋଗୀ ନୁହେଁ । ଅନ୍ୟପକ୍ଷରେ ଗାଁରେ ଜଳଯୋଗାଣ
ପ୍ରକଳ୍ପ ରହିଥିଲେ ବି ୪ ମାସ ହେଲା ତାହା ଅଚଳ ହୋଇପଡ଼ିଛି । ୫ ମାସ ତଳେ ତ୍ରୁଟିପୂର୍ଣ୍ଣ ଭାବେ ମୋଟର ବସାଯାଇଥିଲା। ଏବେ ପର୍ଯ୍ୟନ୍ତ ତାହାକୁ ମରାମତି କିମ୍ବା ପରିବର୍ତ୍ତନ କରାଯାଇନାହିଁ । ବିକଳ୍ପ ନଥିବାରୁ ସେମାନେ ଗାଁ ନିକଟରେ ବୋହିଯାଉଥିବା ଝରଣାର ଦୂଷିତ ପାଣି ବ୍ୟବହାର କରୁଛନ୍ତି। ଗତ ଏପ୍ରିଲ୍ ୧୩ ତାରିଖରେ ଝରଣାର ଦୂଷିତ ପାଣି ପିଇ ସୁନାଖଣ୍ଡି ପଞ୍ଚାୟତର ଜଣେ ଯୁବକ ଅସୁସ୍ଥ ହୋଇଥିଲେ । ଗାଁରେ ପାଣି ସମସ୍ୟା ଉତ୍କଟ ହେଉଥିଲେ ବି ଏହାର ସ୍ଥାୟୀ ସମାଧାନ କରାଯାଉନି। ଏ ସମ୍ପର୍କରେ ସେମାନେ ଗତ ସୋମବାର ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଡିଙ୍କ ଅଭିଯୋଗ ପ୍ରକୋଷ୍ଟକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଖୁବ୍ଶୀଘ୍ର ପାଣି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତଥାପି ଆଜି ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବା ସମ୍ବରୁ ଟାକ୍ରି, ଯଶୋଦା ଗକ୍ରି, ସନିଆ ଗଳି, ବିଟୁ ଟାକ୍ରି, ସୁଶିଳା ଟାକ୍ରି ଓ ରାମ କାଡ୍ରାକା ପ୍ରମୁଖ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ପାଣି ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଆମେ ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ କହିଛନ୍ତି, ଗୁରୁବାର ଏକ ଟିମ୍ ଗାଁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ତା’ ପରେ ପାଣି ସମସ୍ୟାର ସମାଧାନ କରାଯିବ।



