ଡେଙ୍ଗାଗୁଡ଼ା ଓ ରାଜାମାଟୁରେ ମଦ ବନ୍ଦ ଦାବି ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କୁ ଭେଟିଲେ ମହିଳା

ଡେଙ୍ଗାଗୁଡ଼ା ଓ ରାଜାମାଟୁରେ ମଦ ବନ୍ଦ ଦାବି ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କୁ ଭେଟିଲେ ମହିଳା
,ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ନବରଙ୍ଗପୁର, ୭/୫ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟା ପଞ୍ଚାୟତର ଡେଙ୍ଗାଗୁଡ଼ା ଏବଂ ପାପଡ଼ାହାଣ୍ଡି ବ୍ଲକ ରାଜାମାଟୁ ଗାଁରେ ପ୍ରଚୁର ପରିମାଣରେ ଦେଶୀ ମଦ ବିକ୍ରି ସହ ନିଶା କାରବାର ବଢ଼ି ଚାଲିଛି। ଏଥିଯୋଗୁଁ ସନ୍ଧ୍ୟା ହେଲେ ମହିଳାମାନେ ରାସ୍ତାରେ ବୁଲିବା କିମ୍ବା ବଜାରକୁ ଯିବା ପାଇଁ ଶ୍ରେୟ ମଣୁନାହାନ୍ତି। ତେଣୁ ମହିଳାମାନେ ନାରୀ ମହାସଂଘ ଗଠନ କରି ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଜି ପୃଥକ୍ ପୃଥକ୍ ଭାବେ ଉଭୟ ଗାଁର ଶତାଧିକ ମହିଳା ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁ ଓ ଅବକାରୀ ଅଧୀକ୍ଷକ ପ୍ରତାପ ଦାଶଙ୍କୁ ଭେଟି ମଦ ବିକ୍ରି ବନ୍ଦ ଦିଗରେ ପଦକ୍ଷେପ ନେବାକୁ ଗୁହାରି କରିଥିଲେ। ଗାଁରେ ମଦ ବନ୍ଦ କରିଲେ ଅନ୍ୟ ଗାଁରୁ ମଦ ଆଣି ବିକ୍ରି କରୁଥିବା ଅଭିଯୋଗ କରିଥିଲେ। ଏନେଇ ଅବକାରୀ ବିଭାଗର କର୍ମଚାରୀଙ୍କୁ ସୂଚନା ଦେବା ପରେ ବି ଚଢ଼ଉ କରୁନଥିବା ଉଭୟ ଗାଁର ମହିଳାମାନେ ଅଭିଯୋଗ କରିଥିଲେ। ପୁଲିସ ଓ ଅବକାରୀ ବିଭାଗ ତୁରନ୍ତ ଚଢ଼ଉ କରି ଦେଶୀ ମଦ ବିକ୍ରି
ବନ୍ଦ କରିବେ ବୋଲି ଜିଲ୍ଲାପାଳ ଉପସ୍ଥିତ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅବକାରୀ ଅଧୀକ୍ଷକ ରାଜାମାଟୁ ଓ ଡେଙ୍ଗାଗୁଡ଼ା ଗାଁରେ ତୁରନ୍ତ ଚଢ଼ଉ କରିବାକୁ ପାପଡ଼ାହାଣ୍ଡି ଅବକାରୀ ଥାନାର କର୍ମଚାରୀଙ୍କ ନିର୍ଦ୍ଦେଶଦେଇଥିଲେ | ଗାଁ ଗାଁରେ ଦେଶୀ ରନ୍ଧା ମଦ ବିକ୍ରି ବୃଦ୍ଧି ପାଉଥିବାରୁ ଚଢ଼ଉକୁ ଜୋରଦାର କରାଯାଉ ବୋଲି ନାରୀ ମହାସଂଘର ଦ୍ରୌପଦୀ ହରିଜନ, ରାଜାମାଟୁର ଭଗବତୀ ଜାନୀ, ସତ୍ୟା ଜାନୀ, ଚନ୍ଦ୍ରା ଜାନୀ, କୈଶଲ୍ୟା ଜାନୀ, ଆସମତି ଜାନୀ ଦାବି କରିଛନ୍ତି।



