କଳା ଧୂଆଁ, କାଠଗୁଣ୍ଡ କରୁଛି କଲବଲ
ପରିବେଶ ବିଗାଡ଼ୁଛି ମଙ୍ଗଳମ୍ ଟିମ୍ବର୍ସ, ତ୍ରୁଟି ଧରିଲା ବିଭା
ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍ ନବରଙ୍ଗପୁର
ନବରଙ୍ଗପୁର, ୨୦/୯: ନବରଙ୍ଗପୁର ସହର ସମେତ ଆଖପାଖ ଅଞ୍ଚଳକୁ ପ୍ରଦୂଷିତ କରୁଛି ମଙ୍ଗଳମ ଟିମ୍ବର୍ସା କମ୍ପାନି ଚିର୍ମିନିରୁ ବାହାରୁଥିବା କଳା ଧୂଆଁ ଓ କାଠଗୁଣ୍ଡ ସହରବାସୀଙ୍କୁ କଲବଲ କରିସାରିଲାଣି। ପ୍ରଦୂଷଣ ବିଭାଗର ତାଗିଦ୍ ସତ୍ତ୍ବେ କର୍ତ୍ତୃପକ୍ଷ ପ୍ରତିକାର ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ପ୍ରଦୂଷଣ ରୋକିବାକୁ ପରିବେଶ ବିଭାଗ ୩ଟି ମେସିନ୍ ଲଗାଇବା ପାଇଁ କମ୍ପାନି କର୍ତ୍ତୃପକ୍ଷଙ୍କୁ କହିଥିଲେ ମଧ୍ୟ ଖର୍ଚ୍ଚ କମାଇବା ଲାଗି ଗୋଟିଏ ବି ମେସିନ୍ ଲାଗିନି।
ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ୧୯୮୫ରେ ଆରମ୍ଭ ହୋଇଥିଲା ମଙ୍ଗଳମ୍ ଟିମ୍ବର୍ସ । ଏଠାରୁ ୬ ପ୍ରକାର ପ୍ଲାଏ ତିଆରି କରୁଛି କମ୍ପାନି। ଉତ୍ପାଦିତ ପ୍ଲାଏ ଗୁଣାତ୍ମକମାନର ହୋଇଥିବାରୁ ୩ଟି ଆଇଏସ୍ ମାନ୍ୟତା ମଧ୍ୟ ପାଇଛି। ଅପରପକ୍ଷରେ ପ୍ଲାଏ ତିଆରି ସମୟରେ ପରିବେଶ ସୁରକ୍ଷା, ବାୟୁ ପ୍ରଦୂଷଣ ଓ କମ୍ପାନିରୁ ବାହାରୁଥିବା କଳାଧୂଆଁକୁ ରୋକିବା, ଉଡୁଥିବା କାଠଗୁଣ୍ଡକୁ ବନ୍ଦ କରିବା ଦିଗରେ କମ୍ପାନି ଚରମ ଅବହେଳା ପ୍ରଦର୍ଶନ କରୁଛି।
ପ୍ରଦୂଷଣ ବିଭାଗର ଯାଞ୍ଚ ବେଳେ ଏହି ତ୍ରୁଟି ସାମ୍ନାକୁ ଆସିଛି। ତେଣୁ ପ୍ରଦୂଷଣ ବିଭାଗ କମ୍ପାନି କର୍ତ୍ତୃପକ୍ଷଙ୍କୁ ୩ଟି ଯନ୍ତ୍ରାଂଶ ଯଥା: ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରିସିପିଟେଟର୍ (ଇଏସପି), ନିରନ୍ତର ଆମ୍ବିଏଣ୍ଟ ଏୟାର କ୍ଵାଲିଟି ମନିଟରିଂ ଷ୍ଟେସନ (ସିଏଏକ୍ସଏସ୍ଏସ୍) ଓ ନିରନ୍ତର ନିର୍ଗମନ ମନିଟରିଂ ସିଷ୍ଟମ (ସିଇଏମଏସ) ଧୂଆଁ ବାହାରୁଥିବା ଚିମିନିରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଯାହା ଆଜି ଯାଏଁ କାର୍ଯ୍ୟକାରୀ ହୋଇପାରିନି କିନ୍ତୁ କମ୍ପାନି ପକ୍ଷରୁ ଏହା ଲଗାଯାଇଛି ବୋଲି ଜେନେରାଲ୍ ମ୍ୟାନେଜର୍ ସନ୍ତୋଷ କୁମାର ଝା ସଫେଇ ଦେଇଛନ୍ତି। ଏପରି କୌଣସି ଯନ୍ତ୍ରାଂଶ ଲାଗିନଥିବା କୁସୁମି, ଭାଟିଶାଳଗୁଡ଼ା, ଗାନ୍ଧି ନଗର ଓ ଇଛାବତୀଗୁଡା ବାସିନ୍ଦାଙ୍କ ସମେତ କାଉନସିଲର ଅମିତ କୁମାର ପ୍ରଧାନ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି। ଯାଞ୍ଚ କରି ଇଏସପି, ସିଏଏକ୍ସଏମ୍ସ୍ଏସ୍ ଓ ସିଇଏମଏସ
ଯନ୍ତ୍ର ଲଗାଇବାକୁ କୁହାଯାଇଥିବା କହିଛନ୍ତି ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦୀପେଶ ବିଶ୍ଵାଳା ଏହି ଯନ୍ତ୍ରାଂଶ ସହ ଇଣ୍ଟରନେଟର ସଂଯୋଗ ରହିବା ଫଳରେ ଉତ୍ପାଦନ ହେବା ମାତ୍ରେ ବାହାରୁଥିବା ଧୂଆଁ, ଧୂଳିକଣା, କାଠଗୁଣ୍ଡକୁ ପରିମାଣ ସାଟେଲାଇଟ୍ ଜରିଆରେ ନୂଆଦିଲ୍ଲୀରେ ଥିବା ପରିବେଶ ପ୍ରଦୂଷଣ ବିଭାଗ ରେକର୍ଡ କରିବ | ଏହି ୩ଟି ଯନ୍ତ୍ରାଂଶ ଲାଗି ୬୦ରୁ ୯୦ଲକ୍ଷ ଖର୍ଚ୍ଚ ହେବା ସହ ସ୍ବତନ୍ତ୍ର ୟୁନିଟ୍ ସ୍ଥାପନ କରିବାକୁ ପଡୁଥିବାରୁ କମ୍ପାନି ଏହାକୁ ଏଯାଏଁ କରିନଥିବା କହିଛନ୍ତି ଶ୍ରୀ ବିଶ୍ଵାଳା ଏଭଳି ଯନ୍ତ୍ରାଂଶ ଲଗାଇବା ପରେ ତୁରନ୍ତ ଏହାର ସୂଚନା ନୂଆଦିଲ୍ଲୀ କାର୍ଯ୍ୟାଳୟକୁ ଏବଂ ଅଧିକାରୀଙ୍କ ନିକଟକୁ ଯିବା ଯନ୍ତ୍ର ଗୁଡ଼ିକ ଲାଗିବା ପରେ ଯେଉଁ ଦିନ କାର୍ବନ ଡାଇଅକ୍ସାଇଡ୍ କିମ୍ବା ଅନ୍ୟ ହାନିକାରକ ଗ୍ୟାସ୍ ଅଧିକ ବାହାରିବ କମ୍ପାନିକୁ ଯାଇ ଯାଞ୍ଚ କରିବାର ନିୟମ ରହିଛି। ନୀତି ନିୟମକୁ ଉଲଂଘନ କରି ମଙ୍ଗଳମ ଟିମ୍ବର୍ସ ପରିବେଶ ପ୍ରଦୂଷିତ କରୁଥିବାରୁ ପ୍ରଶାସନ ଓ ପ୍ରଦୂଷଣ ବିଭାଗ କଠୋର ପଦକ୍ଷେପ ନେବା ଲାଗି ଦାବି ହୋଇଛି।
