ନିର୍ମାଣ ହୋଇପାରୁନି କଲଭର୍ଟ

ନିର୍ମାଣ ହୋଇପାରୁନି କଲଭର୍ଟ
ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ ନବରଙ୍ଗପୁର
ନନ୍ଦାହାଣ୍ଡି, ତ।୨୩/୫ : ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ମେରନାସ ଗ୍ରାମର ସଉରା ସାହିରେ କଲଭର୍ଟ ନିର୍ମାଣ ପାଇଁ ପାଞ୍ଚ ମାସ ତଳେ ମୂଳଦୁଆ ଗାତ ଖୋଳାଯାଇଥିଲା; କିନ୍ତୁ ବର୍ତ୍ତମାନ ସୁଦ୍ଧା ଉକ୍ତ କାର୍ଯ୍ୟ ସମ୍ପୂଣ୍ଣ ତ ଦୂରର କଥା, ଆରମ୍ଭ ବି ହୋଇ ପାରିନାହିଁ । ଫଳରେ ସ୍ଥାନୀୟ ଲୋକ ଯାତାୟାତ ପାଇଁ ନାହିଁ ନଥୁବା ହଇରାଣ ହେଉଛନ୍ତି । ଜମି ମଧ୍ୟଦେଇ ଅଲଗା ରାସ୍ତା ବାହାର କରାଯାଇଛି; ଯାହାକି ସାମାନ୍ୟ ବର୍ଷାହେଲେ ବାଇକ୍ ଚଳାଚଳ ମଧ୍ୟ କଷ୍ଟ ହେଉଛି | ଆଗକୁ ବର୍ଷାଋତୁ ଥିବା ଯୋଗୁଁ ଜମିରେ ପାଣି ଭରିଯିବ ଏବଂ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ରହିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ କଲଭର୍ଟ ପାଇଁ ପାଞ୍ଚ ମାସ ତଳେ ଯନ୍ତ୍ରୀଙ୍କ ନିର୍ଦେଶ କ୍ରମେ ମୂଳଦୁଆ ଓ ସୂଚନଫଳକ ନିର୍ମାଣ ର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଠିକାକାମକୁ କେନ୍ଦ୍ର କରି
ସ୍ଥାନୀୟ ଜଣେ ୱାଡସଭ୍ୟ ସୂଚନାଫଳକକୁ ଭାଙ୍ଗିବା ସହ ବିଭ୍ରାଟ ସୃଷ୍ଟି କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ନିର୍ବାଚିତ ସରପଞ୍ଚ କମଳା ପୂଜାରୀ ଆସ୍ଥାଭୋଟରେ ପରାସ୍ତ ହୋଇ ପଦଚ୍ୟୁତ ହୋଇଥିଲେ । ବର୍ତ୍ତମାନ ନାଏବ ସରପଞ୍ଚ କନକ ପାଇକ ସରପଞ୍ଚ ଦାୟିତ୍ବରେ ଅଛନ୍ତି । ପୂର୍ବ ସରପଞ୍ଚ ମଞ୍ଜୁର କରିଥିବା ପ୍ରକଳ୍ପକୁ ନୂତନ ସରପଞ୍ଚ ରଦ୍ଦ କରିଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏ ବାବଦରେ ପଞ୍ଚାୟତ ନିର୍ବାହୀ
ଅଧିକାରୀ ଅଭିଷେକ ବାଘଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉକ୍ତ ପ୍ରକଳ୍ପ ପାଇଁ ଦୁଇ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଓ କାମ ଅତିଶୀଘ୍ର ସମ୍ପୂର୍ଣ୍ଣ କରାଯିବ । ପ୍ରକୃତରେ ଲେଆଉଟ୍ ଦେବା ସମୟରେ ପଞ୍ଚମ ଆର୍ଥିକ କମିଶନ ପାଣ୍ଠିରୁ କଲଭର୍ଟ ଓ ଗାର୍ଡୱାଲ୍ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା କିନ୍ତୁ ଏବେ କେମିତି ତାହା ୨ ଲକ୍ଷ ଟଙ୍କା ହେଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହା ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।



