ମଧ୍ୟାହ୍ନ ଭୋଜନର ମାନ ପରଖିଲେ ଜିଲ୍ଲାପାଳ

ମାଲକାନଗିରି, ୦୧/୦୯: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ନିଜେ ପଦ୍ମଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି ।
ଏହି ଅବସରରେ ପାଠପଢା କେମିତି ଚାଲିଛି ପଚାରି ବୁଝିଥିଲେ ଜିଲ୍ଲାପାଳ। ପିଲାଙ୍କ ସୁବିଧା ଅସୁବିଧା ବୁଝିଥିଲେ । ସେହିପରି ଉକ୍ତ ସ୍କୁଲର ଭିତ୍ତିଭୂମି ପରିଦର୍ଶନ କରିବା ସହ ଉନ୍ନୟନ କାମ ବୁଲି ଦେଖିଥିଲେ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ପରଷିବା ପାଇଁ ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏବେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ମାନ ଓ ସ୍ଵାଦ ଚାଖିବେ। ମୁଖ୍ୟତଃ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପରେ ନିକଟସ୍ଥ ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ସ୍ଵାଦ ଚାଖିବେ ଅଧିକାରୀମାନେ। ଆଜି ପଦ୍ମଗିରି ପଞ୍ଚାୟତରେ ଅଭିଯୋଗ ଶୁଣାଣି ପରେ ସମସ୍ତ ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନର ମାନ ପରଖି ଥିଲେ।
ଆରକ୍ଷୀ ଅଧିକ୍ଷକ ଖରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉପ ଜିଲ୍ଲପାଳ ତଳସାହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଖି ଥିଲେ। ପଞ୍ଚାୟତର ନିକଟସ୍ଥ ଅନ୍ୟାନ୍ୟ ବିଦ୍ୟାଳୟ ଯଥା ସିନ୍ଧ୍ରିମାଲ, ବାଙ୍କଟିଗୁଡା,
ଯଦୁଗୁଡା, ବୈଲାପାରି ଇତ୍ୟାଦି ବିଦ୍ୟାଳୟରେ ଅଧିକାରୀ ମାନେ ମଧ୍ୟାହ୍ନ ଭୋଜନର ସ୍ଵାଦ ଚାଖିଥିଲେ। ଆସନ୍ତା ଦିନ ଗୁଡିକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନର ସ୍ଵାଦ ଓ ମାନ ସୁନିଶ୍ଚିତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣଗ୍ରାହୀ ସୂଚନା ଦେଇଛନ୍ତି।