ଓଡ଼ିଶାରେ ଛତିଶଗଡ ବନ ବିଭାଗର ଚଡ।ଉ ଲକ୍ଷ୍ୟ।ଧିକ ଟଙ୍କାର ପଟ। ଜବତ
ଓଡ଼ିଶାରେ ଛତିଶଗଡ଼ ବନ ବିଭାଗର ଚଢ଼ଉ
ଲକ୍ଷାଧିକ ଟଙ୍କାର ପଟା, ସାମଗ୍ରୀ ଜବତ
ରାଇଘର,୨୬/୮(ଇମିସ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୋନେପୁର (ଡିଏନ୍କେ) ଗ୍ରାମରେ ଛତିଶଗଡ଼ ବନ ବିଭାଗ ଚଢ଼ଉ କରିଛି। ସୋମବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଚଢ଼ଉରେ ବିଭାଗ ଶାଗୁଆନ କାଠ ଗଣ୍ଡି, ପିକ୍ଅପ୍ ଭ୍ୟାନ୍, କାଠ ପଟା, ଆସବାବପତ୍ର ଜବତ କରିଛି। ଖବର ଲେଖାଯିବା ସୁଦ୍ଧା ଚଢ଼ଉ ଜାରି ରହିଥିଲା।
ଏଥିରେ ନବରଙ୍ଗପୁର ଜିଲ୍ଲା ବନ ବିଭାଗ କର୍ମଚାରୀ ଓ ରାଇଘର ପୁଲିସ ସହଯୋଗ କରିଥିବା ଜଣାପଡ଼ିଛି।
କାଠ ମାଫିଆ ଛତିଶଗଡ଼ର ବିଭିନ୍ନ ଜଙ୍ଗଲରୁ ଶାଳ ଏବଂ ଶାଗୁଆନ ଗଛ କାଟିବା ପରେ ତାହାକୁ ଓଡ଼ିଶା ଚାଲାଣ କରୁଛନ୍ତି। କାଠ ଓଡ଼ିଶାର ସୀମାନ୍ତ ଗାଁରେ ପହଞ୍ଚିଲା ପରେ ବିଭିନ୍ନ ଆସବାବପତ୍ର ନିର୍ମାଣ କରି ବେଧଡ଼କ ବିକ୍ରି କରାଯାଉଛି। ବାରମ୍ବାର ଛତିଶଗଡ଼ ଗାରିଆବନ୍ଧ ବନ ବିଭାଗ ଚଢ଼ଉ କରି ଓଡ଼ିଶାର ସୀମାନ୍ତ ଗାଁରୁ କାଠ ଏବଂ ସାମଗ୍ରୀ ଜବତ କରୁଛି। କାଠ ମାଫିଆ
ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରୁଛି। ତଥାପି ଏହି ବେଆଇନ କାରବାରରେ ରୋକ ଲାଗିପାରୁ ରୁନି। ଏହିକ୍ରମରେ କୌଣସି ସୂତ୍ରରୁ ଖବର ପାଇ ସୋମବାର ରାତିରେ ପୁଣି ଛତିଶଗଡ଼ ବନ ବିଭାଗର ଟିମ୍ ଚଢ଼ଉ କରିଥିଲା । ସୋନେପୁର ଗ୍ରାମକୁ ୪୦ଜଣିଆ ଟିମ୍ ସିଲ୍ କରିବା ପରେ ଗାଁର ଏକାଧିକ ଘରେ ସନ୍ଧାନ ଆରମ୍ଭହୋଇଥିଲା। ଶେଷ ଖବର ସୁଦ୍ଧା ପ୍ରାୟ ଦୁଇ ଟ୍ରକ୍ କାଠ ପଟା ଓ କାଠ ସାମଗ୍ରୀ ଜବତ ହୋଇଥିଲା। ଘଟଣା ସମ୍ପର୍କରେ ନବରଙ୍ଗପୁର ଜିଲ୍ଲା ବନ ବିଭାଗ ଖବର ପାଇବା ପରେ ରାଇଘର ଓ ନବରଙ୍ଗପୁର ଜିଲ୍ଲା ବନ କର୍ମଚାରୀ ଏବଂ ସ୍ଥାନୀୟ ପୁଲିସ ପହଞ୍ଚି ସହଯୋଗ କରିଥିଲେ | ରାଇଘର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବନ୍ଦ ଘର ଗୁଡ଼ିକର ତାଲା ଭାଙ୍ଗି କାଠ ସାମଗ୍ରୀ ଜବତ କରାଯାଇଥିଲା। ଗରିଆବନ୍ଧ ଡିଏଫ୍ଓ ବରୁଣ ଜୈନଙ୍କ କହିବା ଅନୁଯାୟୀ, ଛତିଶଗଡ଼ ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ବର୍ତ୍ତମାନ ବହୁ ପ୍ରକାର ଜୀବଜନ୍ତୁ ରହୁଛନ୍ତି। ପ୍ରାକୃତିକ ଆବାସସ୍ଥଳୀକୁ କାଠ ମାଫିଆ ଟଙ୍କା ପାଇଁ ନଷ୍ଟ କରୁଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ନିମନ୍ତେ ନିୟମିତ ବ୍ୟବଧାନରେ ଚଢ଼ଉ କରାଯାଉଛି। ଏହି ଚଢ଼ାଉ ପୂର୍ବରୁ ଗାରିଆବନ୍ଧ ଡିଏଫ୍ଓ ସିଧାସଳଖ କୋରାପୁଟ ସଂରକ୍ଷଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ସୂଚନା ମିଳିଛି।