BhanjanagarDistrictOdisha

ଭଞ୍ଜନଗରରେ ବ୍ରାଉନ୍‌ସୁଗାର୍ କାରବାର ; ୩ ଗିରଫ

ଭଞ୍ଜନଗର,୨୨/୮ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ ବ୍ରାଉନସୁଗାର ବେପାର ଲୁଚାଛପାରେ ଚାଲିଥିବା ବେଳେ ପୁଲିସ୍ ଚଢାଉ କରି ୩୧ ଗ୍ରାମ୍ ୪୦୦ ମିଲିଗ୍ରାମ ଓଜନର ବ୍ରାଉନ୍‌ସୁଗାର୍ ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।

ଏହି ବେଆଇନ୍‌ କାରବାରରେ ସମ୍ପୁକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଇଲାକାର ରାକେଶ କୁମାର ବେହେରା, ଭଞ୍ଜନଗର ଥାନା ଅଞ୍ଚଳର ଅମୀୟ ରଂଜନ ମହାନ୍ତି ଓ ବାଉଁଶଲୁଣ୍ଡିର ଅମିତ୍ କୁମାର ବେହେରା। ଏଥି ସହ ସେମାନଙ୍କ ନିକଟରୁ ନଗଦ ୨,୧୦୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ଅତିରିକ୍ତ ଏସପି ଶ୍ରୀ ଦେ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନ ରେ ସୁଚନା ଦେଇଛନ୍ତି। ସୂଚନାନୁସାରେ, ଭଞ୍ଜନଗର ସହରକୁ ଜିଲ୍ଲା ଓ ରାଜ୍ୟ ବାହାରରୁ ବ୍ରାଉନ୍‌ସୁଗାର୍ ଆସୁଥିବା ବେଳେ ସହର ଉପକଣ୍ଠ ଓ ମଧ୍ୟ ଭାଗରେ ସକାଳୁ ବିଳମ୍ବିତ ରାତି ଯାଏଁ ଏହି ନିଶା ବେପାର ଚାଲୁଥିଲା।

ଅବାଧରେ ଏହି ନିଶାଦ୍ରବ୍ୟ ପହଞ୍ଚି ଯାଉଥିବାରୁ ଯୁବକମାନେ ନିର୍ଦ୍ଦନ୍ଦ୍ବରେ ତାହା ସେବନ କରୁଥିଲେ। ବ୍ରାଉନ୍‌ସୁଗାର୍ କବଳରେ ପଡ଼ିଥିବା ଯୁବକ ସର୍ବସ୍ୱାନ୍ତ ହୋଇ ପଡୁଥିଲେ। ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଛାଡ଼ି ଜୀବନକୁ ବରବାଦ କରୁଥିଲେ। ଚାହିଁଲେ ମଧ୍ୟ ସେମାନେ ଏହି ନିଶା ଛାଡ଼ି ପାରୁ ନଥିଲେ।

ଗତକାଲି ସହର ଉପକଣ୍ଠ ଜାମପଲ୍ଲୀ ଛକରେ ଏହି କାରବାର ଚାଲୁଥିବା ବେଳେ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଏସଡିପିଓ ଡ. ଦୀପକ କୁମାର ମିଶ୍ରଙ୍କ ତତ୍ବାବଧାନରେ ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ନେତୃତ୍ବରେ ପୁଲିସ ଟିମ୍ ସେଠାରେ ଚଢାଉ କରିଥିଲା।

ପୁଲିସ ୩୧ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ୍‌ସୁଗାର୍ ଜବତ କରିଥିଲା। ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଜବତ ବ୍ରାଉନ୍‌ସୁଗାର୍ ର ଓଜନ କରାଯାଇଥିଲା। ଏନେଇ କେସନଂ ୯୬୮/୨୫ ରେ ମାମଲା ରୁଜୁ କରାଯାଇ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଭଞ୍ଜନଗର ଥାନା ଅଞ୍ଚଳରେ ବ୍ରାଉନସୁଗାର ସହ ଅଭିଯୁକ୍ତ ଗିରଫ ହେବା ବିରଳ ଘଟଣା ହୋଇଥିବା ବେଳେ ଏହି କାରବାରରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଶ୍ରୀ ଦେ ପ୍ରକାଶ କରିଛନ୍ତି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button