DistrictMalkangiriOdisha

ମାଲକାନଗିରି ଜିଲ୍ଲାରେ ୟୁରିଆ ସାର ଅଭାବ, ଚାଷୀ ମନରେ ଭାଳେଣି

ମାଲକାନଗିରି,୨୧/୮: ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଚାଷୀମାନେ ଧାନ ଫସଲ କରିଥାନ୍ତି। ମାଲକାନଗିରି ଜିଲ୍ଲାରେ ଖରିଫ-୨୦୨୫ ଲାଗି ବୁଣା ଓ ଧାନ ରୁଆ କାର୍ଯ୍ୟ ସରି ଗଲାଣି। ତେବେ ଧାନ ବିଲରେ ଧାନ ଚାରା ବୃଦ୍ଧି ଲାଗି ୟୁରିଆ ସାରର ଆବଶ୍ୟକତା ରହିଛି। ମାତ୍ର ଚାଷୀମାନଙ୍କୁ ଯେତିକି ଆବଶ୍ୟକତା ରହିଛି ୟୁରିଆ ସାର ତାହା ମିଳୁ ନାହିଁ। ୟୁରିଆ ସାରର ଘୋର ଅଭାବ ଦେଖା ଦେଇଛି। ଫଳରେ ଚାଷୀମାନଙ୍କ ମନରେ ଭାଳେଣି ପଡିଛି। ୟୁରିଆ ସାର ଉତ୍କଟ ଅଭାବ, ବିଗତ ବର୍ଷ ଗୁଡ଼ିକରେ ପ୍ରାୟ ନଥିଲା କହିଲେ ଚଳେ। ମାତ୍ର ବର୍ତ୍ତମାନ ୟୁରିଆ ସାର ଉତ୍କଟ ଅଭାବ ସାଙ୍ଗକୁ କଳା ବଜାରୀ ମଧ୍ୟ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ମାଲକାନଗିରି ଜିଲ୍ଲାରେ ଚଳିତ ଖରିଫ -୨୦୨୫ ଫସଲ ପାଇଁ ୧୦ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ୭ ହଜାର ୩୫୩
ମେଟ୍ରିକ ଟନ୍ ଅଗଷ୍ଟ ମାସ ଶେଷ ସୁଦ୍ଧା ଆସି ଯାଇଛି। ଏହି ୟୁରିଆ ସାର ବିକ୍ରୀ ବଟା ସରିଥିଲା ମଧ୍ୟ ଚାଷୀମାନଙ୍କ ନିକଟରେ ଚାହିଦା ରହିଛି। ତେବେ ୟୁରିଆ ସାର କାହିଁକି ଅଭାବ ହେଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୃଷି ବିଭାଗର ତଥ୍ୟ ଅନୁସାରେ ଚଳିତ ଖରିଫ ଋତୁରେ ମାଲକାନଗିରି ଜିଲ୍ଲାରେ ମୋଟ ୭୫ ହଜାର ୬୬୦ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ତନ୍ମଧ୍ୟରୁ ଖାଲ ଜମିରେ ୨୫ ହଜାର ୬୪ ହେକ୍ଟର, ମଧ୍ୟମ କିସମ ଜମିରେ ୩୧ ହଜାର ୯୧୬ ହେକ୍ଟର ଏବଂ ଉଚ୍ଚ ଜମିରେ ୧୮ ହଜାର ୬୮୦ ହେକ୍ଟର ଜମିରେ ଧାନଚାଷ ହୋଇଛି। ତେବେ ପ୍ରଶ୍ନ ଉଠୁଛି ୭୫,୬୬୦ ହେକ୍ଟର ଧାନ ଜମି ପାଇଁ ୧୦ ହଜାର ୟୁରିଆ ସାର ଆବଶ୍ୟକତା ଯଦି ରହିଛି, ତେବେ ଅନେକ ଚାଷୀ ବର୍ତ୍ତମାନ ୟୁରିଆ ନ ପାଇ ହତାସ କାହିଁକି ? ବାସ୍ତବରେ ସେମାନଙ୍କୁ ୟୁରିଆ ଦିଆ ଯାଇଛି ନା ୟୁରିଆ କୁ ଜାଣି ଶୁଣି ଉତ୍କଟ ଅଭାବ ସୃଷ୍ଟି କରାଯାଇଛି? ଅନ୍ୟ ଏକ ପ୍ରଶ୍ନ ହେଲା ଯଦି ଏହାକୁ ଚାଷୀମାନଙ୍କୁ ବିକ୍ରୟ କରା ଯାଇଛି, ତେବେ ବହୁ ଚାଷୀଙ୍କୁ ୟୁରିଆ ମିଳି ନାହିଁ କିପରି ?

ତେବେ ଏସୁ ସରକାରୀ ଟାର୍ଗେଟ ସଠିକ୍ ନା ଭୁଲ୍ ବୁଝି ହେଉ ନାହିଁ। କିଏ କହୁଛି ଯେ ଚଳିତ ବର୍ଷ ଚାଷୀମାନେ ଧାନ କ୍ଵିଣ୍ଟାଲ ୩୧୦୦ ଟଙ୍କା ଥିବାରୁ ଚାଷୀମାନେ ଡଙ୍ଗରରେ ମଧ୍ୟ ଧାନ ଚାଷ କରିଛନ୍ତି। ଏଣୁ ୟୁରିଆ ସାରର ଅଭାବ ଦେଖା ଦେଇଛି। ଯଦି ଡଙ୍ଗରରେ ଧାନ ଚାଷ ହେଲାଣି ତେବେ କୃଷି ବିଭାଗ ପାଖରେ ତଥ୍ୟ ଗଲା କୁଆଡେ ?

ରାଜ୍ୟ ସରକାର ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ଦେଇଥିବା ବେଳେ ଏଥିରେ କୃଷି କାର୍ଯ୍ୟ ପାଇଁ ମଧ୍ୟ ଜମି ପ୍ରଦାନ କରାଯାଇଛି। ଯଦି କେହି ଡଙ୍ଗରରେ ଧାନ ଚାଷ କଲା, ଏହି ତଥ୍ୟ କୃଷି ବିଭାଗ ନିକଟରେ ଅଛି କି ନାହିଁ ସନ୍ଦେହ ?

ଏଣୁ ବାସ୍ତବ ମାଲକାନଗିରି ଜିଲ୍ଲାରେ ଧାନ ଫସଲ କେତେ କ୍ଷେତ୍ରଫଳ ରେ ହେଉଛି, ବାସ୍ତବ ତଥ୍ୟ ରହିଛି ନା ସଂପୃକ୍ତ ତହସିଲ ତଥ୍ୟ ରେ ଏହା ଚାଲିଛି, ସର୍ଭେ କରିବାର ଆବଶ୍ୟକତା ରହିଛି। ବାଡି ବାଇଗଣ ଏବଂ ପୋଥି ବାଇଗଣ ମଧ୍ୟରେ ଆକାଶ ପାତାଳ ଫରକ ରହିଛି। କେବଳ କମ୍ପ୍ୟୁଟର ଟାଟା ଆଦାନ ପ୍ରଦାନରେ ସରକାରୀ ବ୍ଯବସ୍ଥା ଚାଲିଥିବା ବେଳେ ବାସ୍ତବ ତଥ୍ୟ କ’ଣ ୟୁରିଆ ସାର ଉତ୍କଟରୁ ଏହା ଅନୁମାନ କରାଯାଉଛି। ବର୍ତ୍ତମାନ ୟୁରିଆ ୫୦ କେଜି ବସ୍ତାକୁ ସରକାରୀ ମୂଲ୍ୟ ୨୬୬ ଟଙ୍କା ୫୦ ପଇସା ନିର୍ଦ୍ଧାରଣ କରା ଯାଇଥିବା ବେଳେ ଲ୍ୟାମ୍ପରୁ ଚାଷୀ ୨୮୦ ଟଙ୍କାରେ କ୍ରୟ କରୁଥିବାରୁ କୁହାଯାଇଛି। ବାହାରରେ ଏକ ଲିକ୍ଯୁଡ ସହିତ ୪୫୦ ଟଙ୍କାରେ ବିକ୍ରି ହେଉଛି।

ଗାଁ ଗହଳିରେ ବସ୍ତା ପିଛା ୟୁରିଆ ୫୫୦ ଟଙ୍କା ବିକ୍ରି ହେଉଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ସାର କଳାବଜାରୀ ହେଉଥିଲେ ମଧ୍ୟ କୌଣସି ସ୍ଥାନରେ ଧରପଗଡ ହେଉ ନାହିଁ। ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ ରଞ୍ଜନ ମାହାଳିକ ଏ ସଂପର୍କରେ ପଚାରିବାରୁ ସେ କହିଲେ ଯେ ଚାଷୀମାନେ ଆଜି ପର୍ଯ୍ୟନ୍ତ ଅଭିଯୋଗ କରି ନାହାନ୍ତି। ଯଦି କରି ବେ ତଦନ୍ତ କରାଯିବ

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button