
ମାଲକାନଗିରି, ୧୫/୮: ମାଲକାନଗିରି ଜିଲା ପ୍ରଶାସନ ଆନୁକୂଲ୍ୟରେ ଦଣ୍ଡକାରଣ୍ୟ ଖେଳ ପଡିଆ ଠାରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇ ସମ୍ମିଳିତ ପ୍ୟାରେଡରେ ଉଦ୍ବୋଧନ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେ କହିଥିଲେ ଯେ ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ଆଶା ଓ ଏକ ପ୍ରଭାବଶାଳୀ ସମାଜ ନିର୍ମାଣର ମୂଳ ଦୁଆ । ସେମାନେ ହେଉଛନ୍ତି ସୃଜନାତ୍ମକ ଓ ଉତ୍ସାହର ଏକ ସଂଗମ । ଉଚ୍ଚ ଶିକ୍ଷା ଲାଭକରି ନିଜକୁ ସଶକ୍ତ କରିବା ସହ ଏକ ଉଜ୍ଜ୍ଵଳ ଭବିଷ୍ୟତ ନିର୍ମାଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ। ପରସ୍ପର ମଧ୍ୟରେ ଭାଇଚାରା ଓ ସଦ୍ଭାବନାକୁ ଅକ୍ଷୁର୍ଣ୍ଣ ରଖି ସମାଜର ତୃଣମୂଳ ସ୍ତରରୁ ଆରମ୍ଭ କରି ସମସ୍ତଙ୍କ ଉନ୍ନତି ପାଇଁ ଏକ ମନରେ ଚିନ୍ତା କରିବା ଓ କାର୍ଯ୍ୟକରିବାର ଆବଶ୍ୟକତା ରହିଛି । ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ଜିଲ୍ଲାପାଳ ସୂଚନା ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ ସାଇ କିରଣ ଓ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ୍ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ପୋଲିସ୍ ଆର୍ ଆଇ ସତ୍ୟପ୍ରିୟ ବିଶ୍ଵାଳ ପ୍ୟାରେଡ୍ ନେତୃତ୍ୱ ନେଇଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡ ଭାବେ ପୋଲିସ ସରଜେଣ୍ଟ ବିଭୀଷଣ ଶବର ଉପସ୍ଥିତ ଥିଲେ। ମୋଟ ୩୧ ଗୋଟି ଦଳ ପ୍ୟାରେଡରେ ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁରେଶ ଚନ୍ଦ୍ର ପାତ୍ର ଓ ଡି ଏସ ପି ଓନାମ ଲାକ୍ରା ପ୍ୟାରେଡର ବିଚାରକ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଜାତୀୟ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ରେ ଭାଗ ନେଇଥିବା ସିନ୍ଧ୍ରିମାଲ୍ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ବିଭୁତି ମୁଣ୍ଡାଗୁଡିଆ ଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା ।
ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ, ଛାତ୍ର ତଥା ପ୍ୟାରେଡ୍ରେ କୃତିତ୍ବ ହାସଲ କରିଥିବା ଦଳ ଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲାର ବହୁ ବରିଷ୍ଠ ସରକାରୀ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, ସାମାଜିକ କର୍ମୀ ଉପସ୍ଥିତ ରହି ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ପ୍ୟାରେଡ୍ କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ଅପରାହ୍ନରେ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ପୋଲିସ ଏକାଦଶ ଓ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଆୟୋଜନ କରାଯାଇଛି।