ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଭଞ୍ଜନଗରରେ ହେବ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଭଞ୍ଜନଗର,୧୪/୮: ଫୁଟବଲ ଖେଳ ପାଇଁ ଭଞ୍ଜନଗର ସହରର ସ୍ବତନ୍ତ୍ର ପରିଚୟ ରହିଛି। ଭଞ୍ଜନଗର ସହର ମଧ୍ୟରେ ରହିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡିଆ ବା ଜେଲ ପଡିଆରେ ଅନେକ ଖେଳାଳୀ ଫୁଟବଲ ଅଭ୍ୟାସ କରି ଜାତୀୟ ଓ ଅର୍ନ୍ତଜାତୀୟ ଖେଳରେ ପାରିଦର୍ଶିତ ପ୍ରଦର୍ଶନ କରି ପାରିଛନ୍ତି। ତାକୁ ଦୃଷ୍ଟିରେ ରଖି ଆସନ୍ତା ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ଭଞ୍ଜନଗର ଏନ୍ଏସି ପକ୍ଷରୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି।
ଏନେଇ ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପୁରାତନ କାଉନସିଲର ତଥା କର୍ମକର୍ତ୍ତାଙ୍କ ସମେତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ,ଓକିଲ ସଂଘ,ମିଡିଆ ଏକାଦଶ,ବଣିକ ସଂଘ,କେଏସୟୁବି କଲେଜ,ବିପଦର ବନ୍ଧୁ,ରୋଟାରୀ କ୍ଳବର ସଦସ୍ୟ ମାନେ ଏହି ଟୁର୍ଣ୍ଣାମେଣ୍ଟ୍ ରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ଏହା ଆସନ୍ତା ୧୬ ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ଚାଲିବ ବୋଲି ଜଣାପଡିଛି। ବିଶେଷ କରି ବୟୋଜେଷ୍ଠ ମାନଙ୍କୁ ଏଥିରେ ସାମିଲ କରି ପୁରଣା ସ୍ମୃତିକୁ ତାଜା କରିବା ଲକ୍ଷ୍ୟରେ ଏନ୍ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ଏଭଳି ଅଭିନବ ଟୁର୍ଣ୍ଣାମେଣ୍ଟ ଅୟୋଜନ କରାଯାଉଥିବା ନଗରପାଳ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।