
ଭଞ୍ଜନଗର,୦୨/୮ : ଭଞ୍ଜନଗର ଥାନା ଅଧିନ ଝାଙ୍କରାଇ ମନ୍ଦିର ନିକଟରେ ଜଣେ ଯୁବକକୁ ଆକ୍ରମଣ କରିବା ଅଭିଯୋଗରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଇଲାକାର ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଗୋଟିଏ ପିସ୍ତଲ,୩ ଟି ଜୀବନ୍ତ ଗୁଳି,ଗୋଟିଏ ମାଗାଜିନ୍,ଗୋଟିଏ କାର୍ ଆଦି ଜବତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏନେଇ ପୁଲିସ ଅଭିଯୋଗକାରୀ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧିନ ଗଣ୍ଡପଡା ଅଞ୍ଚଳର ସୋମନାଥ ପରିଡାୁଙ୍କ ଏତଲାକ୍ରମେ କେସ୍ ନମ୍ବର ୮୯୬/୨୫ ରେ ଏକ ମାମଲା ରୁଜୁ କରି ଡେଲାଙ୍ଗ ଥାନା ଗଣ୍ଡପଡା ଗ୍ରାମର ଆଶୁତୋଷ ବାରିକ(୨୫),ତାରାବୋଇ ଗ୍ରାମର ସୁମନ୍ତ ଭଟ୍ଟ(୨୦),ସୁଡଙ୍ଗୋଇ ଗ୍ରାମର ସୁରେଶ ପରିଡା(୨୦),ଶ୍ରୀକାନ୍ତ ପରିଡା ଓ ସନ୍ତୋଷ ପରିଡା(୨୫)କୁ ପିସ୍ତଲ ଦେଖାଇବା ଓ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ସୋମନାଥ ବର୍ତ୍ତମାନ ଗାଙ୍ଗପୁର ଥାନା ଅଧିନ ଗୋବରା ଠାରେ ଏକ ଫାଇନାନ୍ସ୍ କମ୍ପାନିରେ ଚାକିରୀ କରୁଛନ୍ତି। ଏଥିପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ଠାରେ ସେହି କମ୍ପାନିରେ କାମ କରୁଥିଲେ। ସେଠାରୁ ବଦଳି ହୋଇ ଏଠାକୁ ଆସିବା ପରେ ତାଙ୍କ ସହ କମ୍ପାନିରେ କାମ କରୁଥିବା ଆଶୁତୋଷକୁ ସେ ରହୁଥିବା ଭଡାଘର ଦେଇ ଆସିଥିଲେ। ତେବେ ସେ ସେହି ଘରେ କିଛି ଅନୈତିକ କାମ କରିବା ସଂର୍ପକରେ ଘର ମାଲିକ ସୋମନାଥକୁ ଅବଗତ କରିବା ପରେ ଭଡା ଘରୁ ବାହାର କରିବାକୁ କହିଥିଲେ। ଏହା ଜାଣିବା ପରେ ଆଶୁତୋଷ ଆଉ ସୋମନାଥ ସହ ୨ ମାସ କୌଣସି ସମ୍ପର୍କ ରଖିନଥିବା ବେଳେ ଗତ ୩୧ ତାରିଖ ଦିନ ହଠାତ୍ ଫୋନ କରି ଗାଳି ଗୁଲଜ କରିଥିଲେ। ରାତିରେ ପୁଣି ଫୋନ୍ କରି ଗାଳି କରିବା ସହ କେଉଁଠି ରହୁଥିବା ସଂର୍ପକରେ ପଚାରିଥିଲେ। ଏହାପରେ ରାତିରେ ଝାଙ୍କରେଇ ମନ୍ଦିର ନିକଟକୁ କଥା ହେବାକୁ ଡାକିଥିବା ବେଳେ ସୋମନାଥ ୨ ଜଣ ବନ୍ଧୁଙ୍କ ସହ ସେଠାରେ ପହଞ୍ଚିବା ସମୟରେ ଏକ କାର୍ ରେ ଆଶୁତୋଷ ଅନ୍ୟ ୪ ଜଣ ସହ ସେଠାରେ ତାଙ୍କୁ ଆକ୍ରମଣ କରିବା ସହ ପିସ୍ତଲ ଦେଖାଇଥିବା ଅଭିଯୋଗ ହୋଇଛି। ପୁଲିସ୍ ସେଠାରେ ପହଞ୍ଚି ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି।