
ଖତ ଖାଉଛି ପେଡି କ୍ଲିନର ଓ ଗ୍ରେନ୍ ଏନାଲାଇଜର
ଥରେ ବି ବ୍ୟବହାର ହୋଇନି, ପାଣିରେ ପଡ଼ିଲା ୪ କୋଟି
ନବରଙ୍ଗପୁର,1/8: ନୂଆ ସରକାର ଆସିବା ପରେ ମଣ୍ଡିରେ ଧାନ କିଣାକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ରଖାଯିବା ସହ କଟନି ଛଟନି ବନ୍ଦ କରାଯିବ ବୋଲି କୁହାଯାଇଥିଲା। ଏଫଏକ୍ୟୁ ଧାନ କିଣାଯିବାକୁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ସ୍ବତନ୍ତ୍ର ଭାବେ ପେଡି କ୍ଲିନର ଓ ଗ୍ରେଇନ୍ ଏନାଲାଇଜର୍ ମେସିନ କିଣାଯାଇଥିଲା। ୨ କୋଟି ୭୦ ଲକ୍ଷ ବ୍ୟୟରେ ୧୦ଟି ପେଡି କ୍ଲିନର ଓ କୋଟିଏ ୪୦ ଲକ୍ଷରେ ୧୦ଟି ଗ୍ରେଇନ୍ ଏନାଲାଇଜର ମେସିନ କିଣାଯାଇଥିଲା । ଗତ ଖରିଫ ମଣ୍ଡିରେ ପେଡି କ୍ଲିନର ଓ ଗ୍ରେଇନ୍ ଏନାଲାଇଜର ମେସିନ୍ ଅଣାଯାଇଥିବା ବେଳେ ଥରୁଟିଏ ବି ବ୍ୟବହାର ହୋଇନାହିଁ । ଫଳରେ ଖତ ଖାଇବା ଅବସ୍ଥାରେ ପଡ଼ି ରହିଛି।
ସରକାର ଏଫଏକ୍ୟୁ ମାନର ଧାନ ଖରିଦ ନେଇ ନିର୍ଦେଶ ଦେଇଥିବା ବେଳେ ଅଳ୍ପ କିଛି ଚାଷୀଙ୍କୁ ଛାଡ଼ିଦେଲେ ଅନେକ ଚାଷୀ ଏଫଏକ୍ୟୁ ଧାନ ମଣ୍ଡିକୁ ଆଣୁନଥିବା ଦେଖିବାକୁ ମିଳିଛି। ଚାଷୀ ମିଲରମାନଙ୍କ ସହ ସଲାସୁତୁରା ହୋଇ କଟନି ଛଟନି କରିବାକୁ ବାଧ୍ୟ ହେଉଛି। ସରକାର ପେଡି କ୍ଲିନର ଓ ଗ୍ରେଇନ୍ ଏନାଲାଇଜର ମେସିନ୍ ଆରଏମସିକୁ ପ୍ରଦାନ କରିଥିବା ବେଳେ ଏହା କୌଣସି ମଣ୍ଡିକୁ ପଠାଯାଉ ନାହିଁ। ଏହି ମେସିନ ଧାନ, ମୁଗ, ମାଣ୍ଡିଆ ଇତ୍ୟାଦି ଶସ୍ୟର ମାନ ପରୀକ୍ଷା କରିଥାଏ । ସେହିପରି ମଣ୍ଡି ଗୁଡ଼ିକରେ ଧାନକୁ ସଫା କରି ଏଫଏକ୍ୟୁ ମାନର ଧାନ ବାହାର କରିବା| ଏହାପରେ ମଣ୍ଡିରେ
ଧାନ ବିକ୍ରି ହୋଇଥାଏ | ନବରଙ୍ଗପୁର ଆରଏମସି କାର୍ଯ୍ୟାଳୟ ପରିସରରେ ଡାବୁଗାଁ ଓ ନବରଙ୍ଗପୁର ବ୍ଳକର ପେଡି କ୍ଲିନର ପଡ଼ି ରହିଛି। ଏହାକୁ କୌଣସି ମଣ୍ଡିକୁ ପଠାଯାଇ ନଥିବାରୁ ଜିଲ୍ଲା କାର୍ଯ୍ୟାଳୟରେ ୨ଟି ଓ ବ୍ଳକରେ ୮ଟି ପଡ଼ି ରହିଛି। ଅପରପକ୍ଷରେ ଏଥି ପୂର୍ବରୁ ବି ୭୦ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟୟରେ ପେଡି କ୍ଲିନର୍ ଆରଏମସି ପରିସରରେ ସ୍ଥାପନ କରାଯାଇଛି। କିନ୍ତୁ ଥରେ ବି ଧାନର ମାନ ଯାଞ୍ଚ ହୋଇ ନଥିଲା| ଏବେ କଳଙ୍କି ଧରି ଖତ ଖାଇବା ଅବସ୍ଥାକୁ ପଳାଇ ଆସିଲାଣି ବୋଲି ଚାଷୀମାନେ କହିଛନ୍ତି । ଗ୍ରେଇନ୍ ଏନାଲାଇଜର୍
ମେସିନ୍ ମଧ୍ୟ କୌଣସି ମଣ୍ଡିକୁ ପଠାଯାଉ ନାହିଁ। ଏନେଇ ନବରଙ୍ଗପୁର ଆରଏମସି ସମ୍ପାଦକ କପିଳେନ୍ଦ୍ର ସାସମଲଙ୍କୁ ପଚାରିବାରୁ ଏହାକୁ ବିଭିନ୍ନ କ୍ରୟକାରୀ ସଂସ୍ଥା, ଲ୍ୟାମ୍ପସ, ଏସଏଚଜି ଓ ପାଣି ପଞ୍ଚାୟତ ବିଭିନ୍ନ ମଣ୍ଡିକୁ ନେଇ ଧାନ ସଫା କରିବା ପରେ ଧାନ କିଣିବା କଥା | କିନ୍ତୁ ଚାଷୀମାନେ ବି ଏହି ମେସିନରେ ଯାଞ୍ଚ କରିବାକୁ ଚାହୁଁନଥିବା ସେ କହିଛନ୍ତି। ଏହି ଦୁଇ ମେସିନ କିଣା ପଛରେ ବଡ଼ ଧରଣର କିକ୍ ବ୍ୟାକ୍ ରହିଥିବା ସନ୍ଦେହ ପ୍ରକାଶ ପାଇଥିବାରୁ ତଦନ୍ତ କରାଯିବାକୁ ଚାଷୀ ମହଲରେ ଦାବି ହୋଇଛି।