
ମାଲକାନଗିରି ,୨୬/୭: ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଆଜକୁ ପାଞ୍ଚ ଦିନ ହେଲା ଲାଗି ରହିଛି । ଦିନ ରାତି ବର୍ଷା ହିଁ ବର୍ଷା । ବାହାର କୁ ଗଲେ ଓଦା ସରସର ଦେହ। ଏଣୁ ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ନଈ ନାଳରେ ଜଳ ପତ୍ତନ ବୃଦ୍ଧି ପାଇବା ଯୋଗୁଁ ବିଭିନ୍ନ ଜାଗାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।
ଫଳରେ କାଲିମେଳା କନ୍ୟାଶ୍ରମ ପୋଲଟି ବୁଡ଼ି ଯାଇଛି । ପୋଲ ଉପରେ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଯାନବାହାନ ଚଳାଚଳ ବ୍ୟାହତ ଘଟିଛି । କାଲିମେଳା ବ୍ଲକ ସହିତ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ପୋଲ ବୁଡ଼ି ଯିବା ଯୋଗୁଁ ଯାତ୍ରୀବାହୀ ବସ୍ ସହ ଅନେକ ଯାନବାହାନ ଉଭୟ ପଟେ ଅଟକି ରହିଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳ ୯ଟାରେ ଏହି ପୋଲଟି ବୁଡ଼ି ଯାଇଥିଲା । ଠିକ୍ ସେହିପରି ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ପୋଟେରୁ ବ୍ରିଜ, ଏମଭି- ୯୬ ବ୍ରିଜ ଉପରକୁ ପାଣି ଲାଗି ଯାଇଛି । ବର୍ଷା ଅଧିକ ହେଲେ ଏହି ଦୁଇଟି ପୋଲ ବୁଡ଼ିଯିବାର ସମ୍ଭବନା ରହିଛି ।
ସେହିପରି ମାଲକାନଗିରି- ମୋଟୁ ୩୨୬ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ନାଳ ଉପରକୁ ମଧ୍ୟ ପାଣି ଲାଗି ଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସାବେରୀ, ସିଲେରୁ, ତମସା, ପାଙ୍ଗମ ବିଭିନ୍ନ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯେପରି କୌଣସି ଧନ ଜୀବନ ହାନି ନ ହେବ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୧୯ ମି.ମି, ମାଲକାନଗିରି ବ୍ଲକରେ ୯୫ ମି.ମି, ମାଥିଲି ବ୍ଲକରେ ୬୫ମି.ମି, କାଲିମେଳା ବ୍ଲକରେ ୩୩ ମି.ମି ଖଇରପୁଟ ବ୍ଲକରେ ୯୫ ମି.ମି କୋରୁକୋଣ୍ଡା ବ୍ଲକରେ ୭୨ ମି.ମି ଓ ପଡିଆ ବ୍ଲକରେ ୪୫. ୩ ମି.ମିବର୍ଷା ହୋଇଥିବା ଜଣାପଡିଛି । ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବ ମୋଟ ହାରାହାରି ୭୪.୯୬ ପ୍ରତିଶତ ମି.ମି ବର୍ଷା ହୋଇଛି ।