ଟୁନିବେଡା ଝରଣାରେ ବୁଡି ନାବାଳକ ମୃତ

ମାଲକାନଗିରି, ୧୪/୦୭:ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତ ଅଧିନସ୍ଥ ଚିତାପାରି-୪ ଗ୍ରାମରେ ଥିବା ଟୁନିବେଡ଼ା ଗ୍ରାମନିକଟରେ ଥିବା ଝରଣାରେ ଆଜି ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଆଜି ରବିବାର ଛୁଟି ଥିବା ହେତୁ ଅପରାହ୍ନରେ ୬ ଜଣ ସାଙ୍ଗ ମିଶି ଟୁନିବେଡା ଗ୍ରାମ ନିକଟରେ ଥିବା ଝରଣାକୁ ବୁଲିବାକୁ ଯାଇଥଲେ। ସାଙ୍ଗରେ କିଛି ଖାଇବା ସାମଗ୍ରୀ ଧରି ଯାଇଥିଲେ ।ସେହି ଝରଣାରେ ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା କୌଣସି କାରଣରୁ ଭାରସାମ୍ୟ ହରାଇ ପାଣିରେ ବୁଡି ଯାଇଥିଲେ।
ସାଙ୍ଗରେ ଯାଇଥିବା ପିଲାମାନେ ତାଙ୍କୁ ଉକ୍ତ ଝରଣାରେ ତାଙ୍କୁ ବହୁତ ଖୋଜା ଖୋଜି କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା। ପରେ ସେମାନେ ସଙ୍ଗେ ସଙ୍ଗେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇବା ସଙ୍ଗେ ସଙ୍ଗେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସଂଜିତ କୁମାର ଟାକ୍ରୀ, ଏଏସଆଇ ସୁରେଶ ଚନ୍ଦ୍ର ବିସି ମାଝୀ, ଏଏସଆଇ ଧନୁର୍ଯୟ ମୁର୍ମୁଙ୍କ ସମେତ ପୋଲିସର ଏକ ସ୍ୱତନ୍ତ୍ର ଟିମ ଏବଂ କୋରୁକୋଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ଉକ୍ତ ଝରଣା ଭିତରୁ ଖୋଜି ଖୋଜି କରି ସେହି ନାବାଳକ ଜଣକୁ ଉଦ୍ଧାର କରି ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।
ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।। ମୃତ ନାବାଳକ ହେଲେ ବାଲିମେଳା ୨ ନମ୍ବର ୱାର୍ଡରେ ରହୁଥିବା ପ୍ରମୋଦ କୁମାର ଜେନାଙ୍କ ୧୬ବର୍ଷର ପୁଅ ଧନୁର୍ଜୟ ଜେନାଙ୍କ । ମୃତ ନାବାଳକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ।ଏ ନେଇ ମୃତକଙ୍କ ପରିବାର ଲୋକେ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସୋମବାର ଦିନ ଶବ ବ୍ୟବଛେଦ କରାଯିବା ସହ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।