
ନବରଙ୍ଗପୁର,13/7: ଯାହାର ବାପା ଓ ମା’ଙ୍କ ମୃତ୍ୟୁ ହୋଇଛି, କିମ୍ବା ବାପାଙ୍କ ମୃତ୍ୟୁ ହୋଇଛି ଏଭଳି ଅସହାୟ ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଯଶୋଦା ଯୋଜନା। ଏହି ଯୋଜନାରେ ପିଲାମାନେ ଉଚ୍ଚଶିକ୍ଷା ପଢ଼ିବା ପାଇଁ ବର୍ଷକୁ ୩୨ ହଜାର ଟଙ୍କା ପାଇବେ। ଏହି ଟଙ୍କାରେ ପିଲାମାନେ ଘରୋଇ ବିଦ୍ୟାଳୟରେ ବୃତ୍ତିଗତ କିମ୍ବା ଉଚ୍ଚଶିକ୍ଷା ଲାଭ କରିପାରିବେ । ତେବେ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନି।
ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାରେ ୪ ମାସ ତଳେ ଆବେଦନ କରିଥିବା ୨୨ ଜଣ ଅନାଥ ଓ ବାପା ଛେଉଣ୍ଡ ଅସହାୟ ଛାତ୍ରୀଙ୍କୁ ସହାୟତା ମିଳିନଥିବା ଜଣାପଡ଼ିଛି। ସ୍ଥାନୀୟ ମାଝିଗୁଡ଼ା ନବରଙ୍ଗପୁର ନସିଂ କଲେଜରେ ଏହି ଗରିବ ତଥା ଅସହାୟ ଛାତ୍ରୀମାନେ ପଢ଼ୁଥିବା ବେଳେ ଏମାନେ ଆବେଦନ କରିବାର ୪ ମାସ ପରେ ବି ସହାୟତା ରାଶି ପାଇନାହାନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ନବରଙ୍ଗପୁର ସହରର ଅନାଥ ମମତା ଜାନୀ। ସେହିପରି କୋଭିଡରେ ବାପାଙ୍କ ମୃତ୍ୟୁ ପରେ ବାପ ଛେଉଣ୍ଡ ହୋଇଥିବା ଶୁଭଶ୍ରୀୟା ଅଧିକାରୀ ବି ଏହି ସହାୟତା ପାଇନାହାନ୍ତି। ସେହିପରି ବାପଛେଉଣ୍ଡ ଶୀତଳ ସାମନ୍ତରାୟ, ହୀରାମଣି ଭତରା, ସୁନନ୍ତି ଗଣ୍ଡ, କେ ସାଇଜ୍ୟୋତି, ସୁଚିତ୍ରା ଭତରା, ଭବାନୀ ନାୟକ, ମାଳତୀ ହରିଜନ, ଲଲିତା ମାଝି, ଇପ୍ସିତା ନାୟକ, ରାଜେଶ୍ବରୀ ମହାନ୍ତି, କଳସ ସିଂ ରାଜପୁତ ମଧ୍ୟ ସହାୟତାରୁ ବଞ୍ଚିତ ହୋଇଛନ୍ତି । ବାପା ଛାଡ଼ି ପଳାଇଥିବା କୁସୁମା ପରୱିନ ଓ ନାଜ ପରୱିନ ଏହି ସହାୟତା ପାଇବା ପାଇଁ ଆବେଦନ କରିଥିଲେ ହେଁ ପାଇନଥିବା କହିଛନ୍ତି। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକଙ୍କୁ ଯୋଗଯୋଗ କରିବାରୁ ଆବେଦନକାରୀଙ୍କ କାଗଜପତ୍ର ଯାଞ୍ଚ ଚାଲିଛି। ଏହାପରେ ସହାୟତା ରାଶି ଦିଆଯିବ ବୋଲି ସେ କହିଛନ୍ତି ।