ଟିପର୍ ଚକା ତଳେ ପଡ଼ି ଜଣେ ମୃତ

ଡାବୁଗାଁ,୩/୭: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଦୈନିକ ବଜାର ନିକଟସ୍ଥ ବୋରିଗାଁ ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଛି । ଟିପର ଚକା ତଳେ ପଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଡାବୁଗାଁ ହାଇସ୍କୁଲ ରୋଡର ରାଜୁ ଯାଦବ (୫୩) ବୋଲି ଜଣାପଡ଼ିଛି। ତେବେ କ୍ଷତିପୂରଣ ଦାବିରେ ଦୀର୍ଘ ୫ ଘଣ୍ଟା ଧରି ଦୈନିକ ବଜାର ଛକରେ ଶବ
ପଡ଼ି ରହିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିବା ପରେ ଅପରାହ୍ନ ଚାରି ଘଣ୍ଟ ସମୟରେ ରାସ୍ତାରୁ ଶବ ନିଆଯାଇଥିଲା।
ରାଜୁ ଯାଦବ ଡାବୁଗାଁ ଦୈନିକ ବଜାର ବୋରିଗାଁ-ହାଇସ୍କୁଲ ରୋଡ ପାର୍ଶ୍ଵରେ ଏକ ଜଳଖିଆ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ଆଜି ଦିନ ୧୧ ଘଣ୍ଟ ସମୟରେ ରାଜୁ ତାଙ୍କ ଜଳଖିଆ
ଦୋକାନରୁ ରାସ୍ତା ପାର ହେବା ସମୟରେ ଡାବୁଗାଁରୁ ବୋରିଗାଁ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଟିପର୍ (ଓଡି-୨୬ଜି-୩୬୩୦) ସହ ଧକ୍କା ହୋଇଥିଲା। ରାଜୁ ଟିପର୍ ଚକା ତଳେ ପଡ଼ିଯିବାରୁ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରାଜୁଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟିପର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଆଜି ଡାବୁଗାଁରେ ସାପ୍ତାହିକ ହାଟ ଥିବାରୁ ଦୁର୍ଘଟଣା ସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା | ମୃତକଙ୍କ ପରିବାର ଲୋକେ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଦାବି କରିଥିଲେ | ପୁଲିସ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସେମାନେ ରାସ୍ତାରୁ ହଟି ନଥିଲେ । ଶେଷରେ ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଓ ଡାବୁଗାଁ ଆରଆଇ ଚୈତନ୍ୟ ବେହେରା ରେଡକ୍ରସ୍ ୫ରେ ଏକ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ ପରେ ଅପରାହ୍ନ ୪ ଘଣ୍ଟ ସମୟରେ ରାସ୍ତା ଅବରୋଧ ହଟିଥିଲା। ଏନେଇ ମୃତ ରାଜୁ ଯାଦବଙ୍କ ପୁଅ ପିଙ୍କୁ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ୍ ନଂ-୧୪୫/୨୫ ମାମଲା ରୁଜୁ କରି ଶବ ଜବତ କରିଥିଲା | ଶବ ବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯା ଯାଇଥିବା ବେଳେ ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାର ତଦନ୍ତ କରୁଛନ୍ତି ।