ନ୍ୟୁୟର୍କ ଫିଲ୍ମ ଫେଷ୍ଟିଭାଲ୍ରେ ‘ପରବ’ ପୁରସ୍କୃତ

ଜୟପୁର,3/7: ଓଡ଼ିଆ ଚଳଚ୍ଚିତ୍ର ‘ପରବ’କୁ ମିଳିଲା ଆନ୍ତର୍ଜାତୀୟ ପୁରସ୍କାର ପରବକୁ ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ରେ ଶ୍ରେଷ୍ଠ ଭାରତୀୟ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବା ଚଳଚ୍ଚିତ୍ରର ପ୍ରଯୋଜକ ଦୀପେନ୍ଦ୍ର ସାମଲ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ରର ସଫଳତା ପରେ ଜୟପୁର ସହରରେ ଖୁସିର ଲହରୀ ଖେଳିଯାଇଛି। ଏଥିରେ ପାର୍ଶ୍ବ କଳାକାର ଭୂମିକାରେ ଅଭିନୟ କରିଥିବା ଜୟପୁରର ବରିଷ୍ଠ କଳାକାର ଜୟନ୍ତ ସାନ୍ତ୍ରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି
ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଅଂଶ ଗ୍ରହଣ କରିବାକୁ ମୋଟ ୩ହଜାର ଚଳଚ୍ଚିତ୍ରର ନିର୍ମାତା ଆବେଦନ କରିଥିଲେ । ସେଥିମଧ୍ୟରୁ ୧୧୦ ଚଳଚ୍ଚିତ୍ରକୁ ସଂସ୍ଥା ପକ୍ଷରୁ ଚୟନ କରାଯାଇଥିଲା। ନ୍ୟୁୟର୍କରେ ଜୁନ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ଆୟୋଜିତ ଫିଲ୍ମ ଫେଷ୍ଟିଭାଲରେ ଚଳିଚ୍ଚିତ୍ର ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା ତିନି ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ
ସହ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ଓଡ଼ିଆ ଚଳଚ୍ଚିତ୍ର ‘ପରବ’ ଶେଷରେ ସମସ୍ତ ଚଳଚ୍ଚିତ୍ରକୁ ପଛରେ ପକାଇ ‘ପରବ’ ବାଜିମାତ୍ କରିଥିଲା। ପରବ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଉପରେ ଆଧାରିତ ଚଳଚ୍ଚିତ୍ରା ଏଥିରେ ଓଡ଼ିଆ-ତେଲୁଗୁ ସମ୍ପ୍ରଦାୟ
ମଧ୍ୟରେ ଥିବା ଭାଇଚାରାକୁ ଦର୍ଶାଇଯାଇଥିଲା । କୁଚକ୍ରାନ୍ତକାରୀଙ୍କଠାରୁ ଦୂରେଇ ମାନବିକତା ଓ ଜାତୀୟ ସଂହତିର ବାର୍ତ୍ତା ସମାଜକୁ ପ୍ରଦାନ କରାଯାଇଛି। ଓଡ଼ିଶା ଜାତିର ଗର୍ବ ଓ ଗୌରବ ସହ ଉଭୟ ଓଡ଼ିଆ ଓ ତେଲୁଗୁ ସଂସ୍କୃତିକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଛି। ସୀମା ବିବାଦ ସହ ଦୁଇ ରାଜ୍ୟ ଭିତରେ ଥିବା ସମ୍ପର୍କକୁ ଅତି ନିଖୁଣ ଭାବେ ଉପସ୍ଥାପିତ କରାଯାଇଛି। ଚଳଚ୍ଚିତ୍ରର ବିଷୟବସ୍ତୁ, କାହାଣୀ, ସ୍କ୍ରିନ ପ୍ଲେ, ଅଭିନୟ, ସାମଗ୍ରିକ ଭାବେ ଚଳଚ୍ଚିତ୍ର ବିଚାରକଙ୍କୁ ଆକୃଷ୍ଟ କରିଥିଲା ।
ଚଳଚ୍ଚିତ୍ର ‘ପରବ’ ଗଜପିତି ଜିଲ୍ଲାର ପାରଳାଖେମୁଣ୍ଡିର ସୀମାନ୍ତ ଗାଁ କେ. ସୀତାପୁରରେ ସୁଟିଂ କରାଯାଇଥିଲା। ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର କାହାଣୀ ଓ ନିର୍ଦ୍ଦେଶନାର ଦାୟିତ୍ଵ ଚିନ୍ମୟ ଦାଶ ତୁଲାଇଥିବା ବେଳେ ଦୀପେନ୍ଦ୍ର ସାମଲ ପ୍ରଯୋଜକ ଥିଲେ। ଏଥିରେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଦୀପାନ୍ବିତ ଦାଶ ମହାପାତ୍ର, ସୂର୍ଯ୍ୟମୟୀ ଭଳି ତାରକା ସହ ଜୟପୁରର କଳାକାର ଜୟନ୍ତ ସାନ୍ତ୍ରା, ଦକ୍ଷିଣ ଓଡ଼ିଶାରେ ଜୟପ୍ରକାଶ ପ୍ରକାଶ, ମଧୁସୂଦନ ମିଶ୍ର, ଡ. ଗିରିଜା ଶଙ୍କର ଦାଶ, ଇନ୍ଦିରା ପଟ୍ଟନାୟକ, ମନୋଜ ପାଢ଼ୀ ପ୍ରମୁଖ କଳାକାର ଅଭିନୟ କରିଥିଲେ | ଜୟନ୍ତ ଓଡ଼ିଶାରେ ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।