BusinessDistrictNawarangpurOdishaPolitics

ପଲିଥୁନ କଟକଣା ବାଟବଣା ଖଲିପତ୍ରର ଚାହିଦା ସତ୍ତ୍ବେ ବଜାର ବ୍ୟବସ୍ଥା ନାହିଁ

ନବରଙ୍ଗପୁର,ତା 26/6 : ଏକଦା ଲଘୁ ବନଜାତ ସାମଗ୍ରୀ ବିକ୍ରିବଟା କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଆଦିବାସୀ ଅଧ୍ଯୁଷିତ ଜିଲ୍ଲାର ଅବାସୀଙ୍କୁ ଏବେ ସୁଯୋଗ ମିଳୁନାହିଁ। ଗୋଟିଏ ପଟେ ଜଙ୍ଗଲ ଲୋପ ପାଉଥିବା ବେଳେ ଅନ୍ୟପଟେ ପ୍ଲାଷ୍ଟିକ ଓ ପଲିନର ବହୁଳ ବ୍ୟବହାର ପାଇଁ ବନବାସୀଙ୍କ ରୋଜଗାର ବାଟ ଠପ‌ ହୋଇଯାଇଛି I ସରକାରଙ୍କ ପକ୍ଷରୁ ପଲିଥୁନ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ବାସ୍ତବରେ କଟକଣା ବାଟବଣା ପାଇଁ ଯଥା ପୂର୍ବ ତଥା ପର ବଜାରରେ ରାଜ କରୁଛି ପଲିଥୁନ ସାମଗ୍ରୀ I ପଲିଥୁନ କଟକଣା ପାଇଁ ଖଲିପତ୍ର କାରିଗରଙ୍କ ରୋଜଗାର ବୃଦ୍ଧି ପାଉଥିବାବେଳେ ଏବେ ପଲିଥୁନର ବ୍ୟାପକ କାରବାର କାରିଗରଙ୍କ ହାତ ବାନ୍ଧି ଦେଇଛି । ସରକାରଙ୍କ ପକ୍ଷରୁ ଖଲିପତ୍ର ସାମଗ୍ରୀ ଉତ୍ପାଦନ ସଂସ୍ଥା ନିମନ୍ତେ ପ୍ରୋତ୍ସାହନ ସହ ବଜାର ସୁବିଧା ଉପଲବ୍ଧ ଯୋଜନା ଏବେ ଯୋଜନା ଦୂରରେ ରହିଯାଇଛି ବୋଲି ଖଲିପତ୍ର କାରିଗର ମହଲରେ ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ଆଦିବାସୀ ଅଧ୍ଯୁଷିତ ଜିଲ୍ଲାର ବନବାସୀଙ୍କ ପୂର୍ବପୁରୁଷ ଜଙ୍ଗଲରୁ ଝୁଣା, ମହୁ, ଶାଳପତ୍ର, କାଠ, ଛତୁ, ଦାନ୍ତକାଠି ଇତ୍ୟାଦି ସଂଗ୍ରହ କରି ତେଲ ଲୁଣର ସଂସାର ଚଳାଉଥିବା ବେଳେ ଏବେ ଆଉ ସେସବୁ ସହଜ ନାହିଁ । ତେବେ ସଂଗୃହିତ ଶାଳପତ୍ରରୁ ପ୍ରସ୍ତୁତ ଥାଳି ଓ ଗିନାର ବଜାର ଚାହିଦା ଏବେ ମଧ୍ୟ ରହିଛି ଓ ଉତ୍ପାଦନ କରୁଛନ୍ତି । ତେବେ ସରକାରୀ ସ୍ତରରେ ଖଲି ଉତ୍ପାଦନ ୟୁନିଟ ନିମନ୍ତେ ପ୍ରୋତ୍ସାହନ ସହ ବଜାର ସୁବିଧା ଉପଲବ୍ଧ କରାଯାଉନାହିଁ । ଉତ୍ପାଦିତ ଖଲିପତ୍ର ସ୍ଥାନୀୟ ଅଞ୍ଚଳରେ ହେଉଥିବା ପର୍ବପର୍ବାଣୀ ଓ

ବିବାହ ଉତ୍ସବରେ ବିକ୍ରିବଟା ହେଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନାହିଁ । ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଆଗ୍ରହ ରହିଥିଲେ ମଧ୍ୟ ସୁଯୋଗ ହାତପାହାନ୍ତାରେ ନାହିଁ I ଖଲିପତ୍ର ସିଲେଇ କଳାକୌଶଳ ଶିଖୁଥିଲେ ମଧ୍ୟ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ସହ କାରିଗରମାନଙ୍କୁ ଉନ୍ନ‌ତ ତାଲିମ ବ୍ୟବସ୍ଥା ନାହିଁ । ବଜାରରେ ପଲିଥୁନ ଅପେକ୍ଷା ଖଲିପତ୍ର ଚାହିଦା ଅଧିକ ରହିଥିଲେ ମଧ୍ୟ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗ ମିଳୁନାହିଁ I କାରିଗରଙ୍କ ପାଇଁ ବର୍ଷତମାମ ଖଲିପତ୍ର ଉତ୍ପାଦନ ସହ ବିକ୍ରିବଟା ସୁଯୋଗ ରହିଥିଲେ ମଧ୍ୟ ପ୍ରୋତ୍ସାହନ ଅଭାବରୁ କେବଳ ହାତଗଣତି କିଛି ଦିନ କାରିଗରଙ୍କୁ ରୋଜଗାର ମିଳିପାରୁଛି। ଅନ୍ୟ ସମୟରେ ହାତବାନ୍ଧି ବସୁଛନ୍ତି କାରିଗର ସରକାରଙ୍କ ପକ୍ଷରୁ ପଲିଥୁନ କଟକଣା କଡାକଡି କରାଯିବା ସହ ଏସଏଚଜି ସଦସ୍ୟା ମାନଙ୍କୁ ନେଇ ଖଲିପତ୍ର ଉତ୍ପାଦନ ୟୁନିଟ ପ୍ରତିଷ୍ଠା ଉଦ୍ୟମ କରାଯାଇ ଓରମାସ ସହଯୋଗରେ ବଜାର ସୁବିଧା ଉପଲବ୍ଧ କରାଯିବାକୁ କାରିଗର ମହଲରେ ଦାବି ହେଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button