
ଭଞ୍ଜନଗର,୨୯/୬ : ଘୁମୁସର ମାଟିର ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଜନ୍ମମାଟି ବିଞ୍ଜଗିରି କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବରପୁତ୍ର ଐତିହ୍ୟ ଗ୍ରାମ’ ଯୋଜନାରେ ସାମିଲ କରିଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏକ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି,ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରୀଡ଼ା, ରାଜ୍ୟ ସରକାରଙ୍କ କ୍ୟାବିନେଟମନ୍ତ୍ରୀ ଗଣ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାରଙ୍କ ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସହାୟତାରେ ହୋଇଥିବା ବିଭିନ୍ନ ଉପଲବ୍ଧି ସଂର୍ପକରେ କହିବା ସହ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାରି ମଧ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ’ ଯୋଜନାର ମଧ୍ୟ ଲୋକାର୍ପଣ କରିଥିଲେ। ଓଡ଼ିଶାର ବରପୁତ୍ର ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ସେମାନଙ୍କ ଜନ୍ମସ୍ଥଳୀକୁ ସମ୍ମାନ ସହ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପଦକ୍ଷେପ ସ୍ବରୂପ ଏହି ଯୋଜନାରେ ସାମିଲ କରାଯାଇଛି। ଫଳରେ ବିପ୍ଳବୀ ବୀର ଚକରାଙ୍କ ଜନ୍ମ ମାଟି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବିଞ୍ଜଗିରି ଗ୍ରାମରେ ଆଜି ଆନନ୍ଦର ଲହରୀ ଖେଳିବା ସହ ଭିଡିଓ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଉକ୍ତ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଉକ୍ତ ଅଞ୍ଚଳ ଗୁଡ଼ିକର ବିକାଶ ପାଇଁ ଅନୁଦାନ ଘୋଷଣା କରାଯିବ ବୋଲି ଜଣାପଡିଛି। କାଯ୍ୟକ୍ରମ ପୂର୍ବରୁ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ବିଚିତ୍ରା ନନ୍ଦ ଦାସ,କୃତିବାସ ବିଶ୍ୱାଳ, କବି ପ୍ରସନ୍ନ ମହାନ୍ତି,ଶିକ୍ଷକ ନେତା ଜଗବନ୍ଧୁ ଜେନା, ସନ୍ତୋଷ ଜେନା,ସୁବାଷ ଚନ୍ଦ୍ର ପ୍ରଧାନ,ଦୁର୍ଗା ପ୍ରସାଦ ତ୍ରିପାଠୀ ଙ୍କ ସମେତ ବହୁ ଲେଖାକ ଓ ଐତିହାସିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚକରା ବିଷୋୟୀ ଙ୍କ କୃତିତ୍ୱ ବାବଦରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା,ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ବିଡିଓ ଭାରତୀ ଦେବୀ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ଡେପୁଟି କଲେକ୍ଟର ସୁମନ ଘୋଷ,ଅତିରିକ୍ତ ତହସିଲଦାର ଅବିନାଶ ମାହାର,ଏସ୍ଡିପିଆର୍ଓ ଗୌରୀ ଶଙ୍କର ଶତପଥୀ,ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଳକ ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ ସଂଯୋଜନା ଓ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି, ବୀର ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢ଼େଇ କରି ନିଜର ସାହସିକତା ପରିଚୟ ଦେଇଥିଲେ। ଭାଜପା ସରକାର ଆସିବା ପରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମ କ୍ରମେ ବର୍ତ୍ତମାନ ଘୁମୁସର ଇତିହାସ ଦେଶ ବିଦେଶରେ ପ୍ରଚାର ପୁଣି ଆରମ୍ଭ ହୋଇଛି। ଯାହାକି ଘୁମୁସରବାସୀଙ୍କ ପାଇଁ ଗର୍ବର ବିଷୟ।