
ନବରଙ୍ଗପୁର: ତା୧୨/୬
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବିଜେଡି କବଜାରେ ରହିଥିବା ବେଳେ ଏବେ ବିଜେପି ଏହାକୁ ହାତେଇ ନେଇଛି । ସମସ୍ତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ମନାଇ ବିଜେପି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିବାରୁ ରାଜନୈତିକ ପାଣିପାଗ ବଦଳିଛି। ଗୋଟିଏପଟେ ବିଜେପି ପକ୍ଷରୁ ଲୋକାର୍ପଣ ଓ ପ୍ରତିଯୋଗିତା ଚାଲିଥିବା ବେଳେ ଅନ୍ୟପଟେ ବିଜେଡି ଏହାକୁ ବିରୋଧ କରୁଛି। ତେବେ ତେନ୍ତୁଳିଖୁଣ୍ଟି ପରେ ଏବେ କୋଷାଗୁମୁଡା ବ୍ଲକ ହାତେଇବାକୁ ବିଜେପି ପରୋକ୍ଷରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ୨୬ଟି ପଞ୍ଚାୟତକୁ ନେଇ ଗଠିତ କୋଷାଗୁମୁଡା ବ୍ଲକର ୧୧ ପଞ୍ଚାଯତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ ୧୫ ଗୋଟି ପଞ୍ଚାୟତ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି । ତେବେ ଏବେ ଡାବୁଗାଁ ବିଧାନସଭା ଆସନ ବିଜେଡି ହାତରେ ରହିଥିବା ବେଳେ ବିଧାୟକ ମନୋହର ରନ୍ଧାରୀ ବିଜେଡି ଜିଲ୍ଲା ସଭାପତି ରହିଛନ୍ତି । ସେହିଭଳି ନବରଙ୍ଗପୁର ବିଧାନସଭା ଆସନ ଏବେ ବିଜେପି ହାତରେ ରହିଥିବା ବେଳେ ଯୁବ ବିଧାୟକ ଗୌରୀ ଶଙ୍କର ମାଝୀ ସଂଗଠନ ସୁଦୃଜ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ଜାରି ରଖୁଛନ୍ତି। କୋଷାଗୁମୁଡ଼ା ଅଞ୍ଚଳରେ ବିଜେଡି ଜିଲ୍ଲା ସଭାପତିଙ୍କ ଭଳି ବିଜେପି ଜିଲ୍ଲା ସଭାପତି ମଧ୍ୟ ସେହି ଅଞ୍ଚଳର । ଏଣୁ ତେନ୍ତୁଳିଖୁଣ୍ଟି ଭଳି କୋଷାଗୁମୁଡା ବ୍ଲକ ହାତେଇବା ଲକ୍ଷ୍ୟରେ ବିଜେପି ରହିଛି I ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରସ୍ତୁତି ପଞ୍ଚାୟତ ସମିତି ବୈଠକରୁ ଆରମ୍ଭ ହୋଇଛି । ଗତ ୧୦ ତାରିଖରେ ପଞ୍ଚାୟତ ସମିତି ବୈଠକ ରହିଥିବା ବେଳେ ସେହିଦିନ ବିଧାୟକଙ୍କ ମାରାଥନ ପ୍ରକଳ୍ପ ଉଦଘାଟନ ଓ ସୁଭଦ୍ରା ପ୍ରତିଯୋଗିତା ହୋଇଥିଲା।
ଗୋଟିଏ ପଟେ ବିଜେପି ବିଧାୟକ ଉଦଘାଟନରେ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ୨୬ ସରପଞ୍ଚ ଓ ୨୪ ସମିତିସଭ୍ୟ ବୈଠକ ଅପେକ୍ଷାରେ ବସିଥିଲେ। ତେବେ ମାରାଥନ ଉଦଘାଟନ ଅପରାହ୍ନ ୧ଟାରେ ସରିବା ପରେ ବିଡିଓ ଓ ଅନ୍ୟ ଅଧିକାରୀ ବୈଠକକୁ ପହଞ୍ଚିବା ବେଳକୁ ୧୦ଟା ଠାରୁ ଅପେକ୍ଷାରତ ସରପଞ୍ଚ ଓ ସମିତି ସଭ୍ୟ ବିରକ୍ତ ହେବା ସହ ବୈଠକ ବର୍ଜନ କରିଥିଲେ । ତେବେ ଏତିକିରେ ସନ୍ତୁଷ୍ଟ ନହୋଇ ସେମାନଙ୍କୁ ଅଣଦେଖା ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ କିଏ କାହାକୁ ଓ କେମିତି ମନେଇବ ତାହା ଏବେ ବଡ଼ ପ୍ରଶ୍ନ ହୋଇଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧୂଙ୍କୁ କେମିତି ବୁଝାସୁଝା କରି ସମନ୍ବୟ ରଖାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୋଟିଏ ପଟେ ବିଜେପି ପକ୍ଷରୁ ବିଜେଡି ଗଡ଼ ଭାଙ୍ଗି ନିଜ ଦବଦବା ବଢାଇବା ପାଇଁ ଉଦ୍ୟମ ହେଉଥିବା ବେଳେ ଅଧିକାଂଶ ବିଜେଡି ନେତା ବିଜେପି ଆଡକୁ ଢଳୁଥିବା କୁହାଯାଉଛି । ଅନ୍ୟପଟେ ଲୋକପ୍ରିୟତା ହରାଇଥିବା ବହୁ ବିଜେଡି ନେତାଙ୍କ ପାଇଁ ସଙ୍ଗଠନ ମଜଭୁତ ଓ ଅତୁଟ ରଖିବା କାଠିକର ପାଠ ହୋଇଯାଇଛି।