
କୋରାପୁଟ,୭|୬: ଜିଲ୍ଲା କୋରାପୁଟର ସାମଗ୍ରୀକ ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଛି ନୀତି ଆୟୋଗ ନିୟମିତ ଭାବେ ସମୀକ୍ଷା କରି ଜିଲ୍ଲା ବିକାଶର ସୂଚକାଙ୍କ ପ୍ରକାଶ କରୁଛି ଏହିକ୍ରମରେ କୋରାପୁଟରେ ଉତ୍ପାଦନ ହେଉଥିବା ଆରବିକା କଫିକୁ ନୀତି ଆୟୋଗ ପ୍ରଶଂସା କରିଛି। ଆଦିବାସୀ ଓ ମହିଳାଙ୍କ ଜୀବନ ସହ ଜୀବିକାକୁ ସମୃଦ୍ଧ କରିବାରେ କଫି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଆୟୋଗ ରିପୋର୍ଟ ଦେଇଛି। ଏ ନେଇ ଆୟୋଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।
୧୯୩୦ ମସିହାରେ ତତ୍କାଳୀନ ଜୟପୁର ମହାରାଜାଙ୍କ ଦ୍ଵାରା ପରୀକ୍ଷାମୂଳକ ଭାବେ କୋରାପୁଟର ପୂର୍ବଘାଟ ପର୍ବତମାଳା ଅଞ୍ଚଳରେ କଫି ଚାଷ ଆରମ୍ଭ ହୋଇଥିଲା । ୧୯୫୮ ମସିହାରେ ସରକାରୀସ୍ତରରେ ଆଦିବାସୀ ଚାଷୀଙ୍କୁ କଫି ଚାଷରେ ସାମିଲ କରାଯାଇଥିଲା । ୧୯୭୯ରୁ ୨୦୧୬ ମଧ୍ୟରେ କଫି ଚାଷ ଜିଲ୍ଲାର ୧୪ଶହ ହେକ୍ଟରକୁ ବୃଦ୍ଧି ପାଇଥିଲା। ୨୦୧୭ ମସିହାରେ କେନ୍ଦ୍ର ସରକାର କୋରାପୁଟରେ କଫି ବୋର୍ଡ ଗଠନ କରିଥିଲେ । ରାଜ୍ୟ ସରକାର କଫି ଉନ୍ନୟନ ଟ୍ରଷ୍ଟ ଗଠନ କରି ଆଦିବାସୀ ଚାଷୀଙ୍କୁ କଫି ଚାଷରେ ସାମିଲ କରି ଜମି ଯୋଗାଇବା ସହ ତାଲିମ ଓ ବଜାରୀକରଣ ବ୍ୟବସ୍ଥା କରିଛନ୍ତି। ସମୟାନୁକ୍ରମେ ମହିଳାଙ୍କୁ କଫି ଚାରା ପ୍ରସ୍ତୁତି ସହ ନର୍ସରିରେ ସାମିଲ କରାଯାଇଥିଲା ।
ଯାହାଫଳରେ ବିଶ୍ଵସ୍ତରରେ କୋରାପୁଟ କଫି ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କୋରାପୁଟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଫି ଚାଷ ହେଉଛି।
ପୂର୍ବରୁ କର୍ଣ୍ଣାଟକର କୁର୍ଗ କଫି ସବୁଠାରୁ ସୁଆଦିଆ ବୋଲି କୁହାଯାଉଥିଲା। ଏବେ କୋରାପୁଟ କଫିର ଚାହିଦା ବଢ଼ିବାରେ ଲାଗିଛି। ଏପରିକି ଇଟାଲିର ଇଲି କାପେ, ଆମେରିକାର ଷ୍ଟାରବକ୍ସକୁ ପଛରେ ପକାଇଦେଇଛି କୋରାପୁଟର ଆରବିକା କଫି ଯାହାଫଳରେ
ଅମାଜନ ଭଳି ଅନ୍ଲାଇନ୍ ପ୍ଲାଟଫର୍ମ ସହ କୋଲକତା, ବାଙ୍ଗାଲୁରୁ ଓ ଦିଲ୍ଲୀ ଭଳି ମେଟ୍ରୋ ସହରର ଆଉଟଲେଟ୍ରେ ଉପଲବ୍ଧ ହେଉଛି। କୋରାପୁଟରେ ପ୍ରାୟ ୩ହଜାର ହେକ୍ଟର ଜମିରେ ବାର୍ଷିକ ପ୍ରାୟ ୫୫୦ ମେଟ୍ରିକ ଟନ୍ କଫି ଉତ୍ପାଦନ ହେଉଛି| ପ୍ରାୟ ୧୬କୋଟି ଟଙ୍କାର
ବ୍ୟବସାୟ ହେଉଛି| ପ୍ରତି ମାସରେ ଜିଲ୍ଲା ପ୍ରଶାସନ ସମୀକ୍ଷା କରି କପି ଉତ୍ପାଦନ ବଢ଼ାଇବ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରୁଛି। ଅନ୍ୟଦିଗରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଭାରୀ ଗତ ମାସ କଫି ବଗିଚା ପରିଦର୍ଶନ କରି ବ୍ୟାପକ ପ୍ରଚାର ପ୍ରସାର ଓ ଚାଷର ଅଭିବୃଦ୍ଧି ପାଇଁ ଆଲୋଚନା କରିଥିଲେ। କୋରାପୁଟ କଫିକୁ ଫ୍ଲେଭର ଅଫ୍ ଇଣ୍ଡିଆ ପ୍ରତିଯୋଗିତାରେ ବି ପୁରସ୍କାର ମିଳିଛି ଏବେ ନୀତି ଆୟୋଗର ପ୍ରଶଂସା କଫି ଚାଷୀଙ୍କୁ ଉତ୍ସାହିତ କରିଛି।