ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ବାଟବଣା
ତେନ୍ତୁଳିଖୁଣ୍ଟି ତା ୯ । ୬
ଜନଜାତି ସମ୍ପ୍ରଦାୟର ଜୀବନଜୀବିକା ଓ ଭିତ୍ତିଭୂମିର ବିକାଶ କରିବାକୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଜନଜାତି ପ୍ରତିନିଧୂଙ୍କୁ ୨୬ଟି ସମନ୍ବିତ ଜନଜାତି ବିକାଶ ସଂସ୍ଥା (ଆଇଟିଡିଏ) ମାଧ୍ଯମରେ ସହାୟତା ପ୍ରଦାନ କରାଯାଉଛି। ଏପରିକି ଜନଜାତି ହିତାକାରୀଙ୍କ ଆୟ ବଢ଼ାଇବାକୁ ଉନ୍ନତମାନର ମଞ୍ଜି, ସାର ଓ ଜଳସେଚନ ସୁବିଧା କରାଯାଉଛି । ତେନ୍ତୁଳିଖୁଣ୍ଟି ବ୍ଲକରେ ଲମତାଗୁଡ଼ା ଗ୍ରାମପଞ୍ଚାୟତର ତଗାପାଲି ଓ ପଡ଼ାଆଉଁଳି ଗ୍ରାମରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକାରୀ ହୋଇଥିବାବେଳେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହେଉଛି
ଦିଆଯାଇଥିବା ଧାନ ଓ ବାଇଗଣ ବିହନ ଉତ୍ପାଦନକ୍ଷମ ନ ଥିବା ଏବଂ ଏଥିପାଇଁ ଦିଆଯାଉଥିବା ଅର୍ଥ ମଧ୍ଯ ହିତାଧିକାରୀଙ୍କୁ ସଂପୂର୍ଣ୍ଣ ଦିଆନ ଯାଇ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଗଠିତ ଗ୍ରାମ୍ୟ କମିଟିର ସଦସ୍ୟଙ୍କ ଅଗୋଚରରେ
ଦଲାଲ ନିରୀହ ଆଦିବାସୀଙ୍କୁ ଲୁଟୁଛନ୍ତି
ସେମାନଙ୍କ ଦସ୍ତଖତ ଜାଲ କରି ଟଙ୍କା ଉଠା ଯାଉଥିବା ଅଭିଯୋଗ ହେଉଛି। ଶିବାନୀ ମୁଦୁଲିଙ୍କୁ ପ୍ୟାନସି ଦୋକାନ ପାଇଁ ଅର୍ଥ ମଧ୍ୟ ଠିକ ରୂପେ ଦିଆଯାଇ ନାହିଁ। ସୁରେନ୍ଦ୍ର ଜାନୀଙ୍କୁ ଦୋକାନ କରିବା ପାଇଁ ଏକ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସି ଥିବା ବେଳେ ସବୁତକ ଟଙ୍କା ଦଲାଲମାନେ ଉଠାଇ ନେଇଥିଲେ । ପରେ କେବଳ ପଚାଶ ହଜାର ଟଙ୍କାର ଜିନିଷ କିଣି ଦେଇଥିଲେ । ଏହି ପ୍ରକଳ୍ପ କାମରେ ବହୁ ଦଲାଲ ସକ୍ରିୟ ହୋଇ ନିରୀହ ଜନ ଜାତିଙ୍କ ପାଇଁ ଆସିଥିବା ଅର୍ଥକୁ ବିଭିନ୍ନ ଉପାୟରେ ହଡପ କରୁଥିବା ଅଭିଯୋଗ ହେଉଛି। ସଭାପତି ମାଗୁ
ଜାନୀ, ସମ୍ପାଦକ ଜମାନ ଜାନୀଙ୍କ ଅଜାଣତରେ ଜାଲ ଦସ୍ତଖତ ଓ ସିଲ ବ୍ୟବହାର କରି ଦଲାଲ ଏଭଳି କରୁଥିବା ଅଭିଯୋଗ ହେଉଛି
ଗତ ଖରିଫ ଋତୁରେ ପଡ଼ାଆଉଁଲି ଗ୍ରାମରେ ଜନଜାତି ଚାଷୀଙ୍କୁ ବାସ୍ନା ଧାନ ଚାଷ ପାଇଁ ୩ କେଜି ଲେଖାଏଁ ବିହନ ଆବଶ୍ୟକ ପରିମାଣର ଖତ ଓ ଔଷଧ ଦିଆଯାଇଥିଲା। ଉକ୍ତ ବିହନ ଭଲ ଅମଳ ହୋଇ ନଥିବା ଅଭିଯୋଗ ହୋଇଛି । ବିଗତ ବର୍ଷ ମଧ୍ୟ ଅନୁରୂପ ହୋଇଥିଲା ପରିବା ଚାଷ ପାଇଁ ବାଇଗଣ ବିହନ ମଧ୍ୟ ଉନ୍ନତ ମାନର ନ ଥିବାରୁ ଚାଷୀଙ୍କ ପରିଶ୍ରମ ବୃଥା ହୋଇଥିବା ଅଭିଯୋଗ ହୋଇଛି
ମୁକୁ ଜାନୀ, ସୁବାସ ଜାନୀ, ଭାସ୍କର ଜାନୀ, ରବୁଣୁ ଜାନୀ, ବୁଦୁ ଜାନୀ,ରାମ ଜାନୀ, ଫଗୁଣୁ ଜାନୀ, ପାଣ୍ଡୁ ଜାନୀ ଡମୁ ଜାନୀ, ଆଷାଢ଼ା ଜାନୀ, ରାଇବାରୁ ଜାନୀ, ସମ୍ବାରୁ ଜାନୀ, ଧାନ ବିହନ ପାଇ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହରି ଜାନୀ, ମାଗୁ ଜାନୀ ଦମେନ ଜାନୀ, ନିଲ ଜାନୀ ବାଇଗଣ ବିହନ ଚାଷ କରି କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଅଭିଯୋଗ ହେଉଛି। ଜୟ ସିଂ ମୁଦୁଲିଙ୍କୁ ପାୱାର ଟିଲର ଓ ମକା କଳ ପାଇଁ ଠିକ ଅନୁପାତରେ ଅର୍ଥ ଦିଆ ନ ଯାଇ ହଡପ କରାଯାଇଥିବା ଅଭିଯୋଗ ହେଉଛି । ସରକାରୀ ଯୋଜନାର ଲକ୍ଷ୍ୟକୁ ବିଫଳ କରୁଥିବା ବ୍ୟକ୍ତି ଓ ଯାହାର ଛତ୍ର ଛାୟାରେ ହଡପ ପାଇଁ ସୁଯୋଗ ମିଳୁଛି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଛି। ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ପାହାଡିଆ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ବିଭାଗରେ ସରକାରୀ ଯୋଜନା ବାଟବଣା ହେଉଥିବା ବେଳେ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ଦଲାଲ ଅର୍ଥ ହଡପ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ହୋଇଛି।