
ନବରଙ୍ଗପୁର,୧୦/୬: ସ୍ଥାନୀୟ ମହାରାଣୀ କ୍ଲବ ପରିସରରେ ଥିବା ଦୋକାନୀମାନଙ୍କୁ ଆଜି କ୍ଲବ ପକ୍ଷରୁ ଉଚ୍ଛେଦ କରାଯିବା ଉଦ୍ୟମକୁ ପ୍ରତିବାଦକରି ଦୋକାନୀ ମାନେ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରିଛନ୍ତି । ଗଜନ ଆନା ଅଧିକାରୀ ସମ୍ବିତକୁମାର ବେହେରା, ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ତହସିଲଦାର କୌଳାସଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ସୂଚନାଯୋଗ୍ୟଯେ, ସରକାରୀ ବସଷ୍ଟାଣ୍ଡ ନିକଟରେ ମହାରାଣୀ କ୍ଲବ୍ ରହିଛି । କ୍ଳବ ପାର୍ଶ୍ଵକୁ ଲଗି କେତେକ ଅସ୍ଥାୟୀ ଭାବେ ଛୋଟମେଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଗତ କିଛି ଦିନ ହେଲା କ୍ଲବ୍ ପକ୍ଷରୁ ଦୋକାନୀମାନଙ୍କ ପାଇଁ
ଷ୍ଟଲ ନିର୍ମାଣ କରି ଦିଆଯିବ। ଷ୍ଟଲ ପିଛା ୨୦ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଥିଲା। ଦୋକାନୀମାନେ
ଏଭଳି ପ୍ରସ୍ତାବରେ ରାଜି ନହେବାରୁ ଉଚ୍ଛେଦ ପାଇଁ ଚେତାବନୀ ଦିଆଯାଉଥିଲା । ଏହାକୁ ନେଇ ୧୩ଜଣ
ଦୋକାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ଉଚ୍ଛେଦକୁ ସ୍ଥଗିତ ରଖି ଜିଲ୍ଲାପାଳଙ୍କୁ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ସ୍ଥଗିତାଦେଶ ଥିବା ସତ୍ତ୍ୱେ ଆଜି ଜେସିବି ଲଗାଇ କ୍ଲବ କର୍ତ୍ତୃପକ୍ଷ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏନେଇ କ୍ଲବ ସଂପାଦକ ବୋରା ଶିବପ୍ରସାଦଙ୍କୁ ପଚାରିବାରେ ବେଆଇନ ଭାବେ କ୍ଲବର ଜମିକୁ ଦୋକାନୀ ମାନେ ଜବରଦଖଲ କରିଥିବା କହିଛନ୍ତି । ଅନ୍ୟପକ୍ଷରେ ଦୋକାନୀ ସୁଶାନ୍ତକୁମାର ପ୍ରଧାନ, ପି.ଶ୍ରୀନିବାସ ରାଓ, ଏମ. ମହେଶ ରାଓ, ବିଷ୍ଣୁ ସାମଲ, ପି.ସବୁ ପଟ୍ଟନାୟକ, ପି. ଫଙ୍କାର ରାଜୁ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସେମାନେ ପ୍ରାୟ ୪୦ ବର୍ଷ ଧରି କ୍ଲବକୁ ଜମି ବାବଦ ଭଡ଼ା ଟଙ୍କା ଦେଉଛନ୍ତି।