HealthNationOdisha

ସୁନାବେଡ଼ାରେ ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଶା ବିରୋଧୀ ସଚେତନତା ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ସୁନାବେଡ଼ା ୦୭/୦୬: କୋରାପୁଟ ଜିଲ୍ଲାର ସୁନାବେଡ଼ା ପୌର ପରିଷଦର ୪ ନମ୍ବର ୱାର୍ଡ ଠାରେ ଅବକାରୀ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏକ ନିଶାଦ୍ରବ୍ୟ ବିରୋଧୀ ସଚେତନତା ଅଭିଯାନ ତଥା ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଡି.ପି. କ୍ୟାମ୍ପ, ସୁନାବେଡ଼ା ଠାରେ ସକାଳ ୮.୦୦ ଟାରୁ ଆରମ୍ଭ ହୋଇଥିଲା।ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିଶାଦ୍ରବ୍ୟ, ଅପମିଶ୍ରିତ ଏବଂ ବିଷାକ୍ତ ମାଦକ ଦ୍ରବ୍ୟର ବ୍ୟବହାର ବିରୋଧରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା।

ଶିବିରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା, ଯାହା ଅଞ୍ଚଳର ଶତାଧିକ ଲୋକଙ୍କୁ ଉପକୃତ କରିଛି।କାର୍ଯ୍ୟକ୍ରମରେ ଅବକାରୀ ବିଭାଗର ଅଧିକାରୀମାନେ ଯଥା ଶ୍ରୀ ଅରୁଣ କୁମାର ପାଡ଼ି, ଅବକାରୀ ଅଧୀକ୍ଷକ, କୋରାପୁଟ; ଶ୍ରୀମତୀ ଲକ୍ଷ୍ମୀ ବିଶ୍ୱାଳ, ଅବକାରୀ ନିରୀକ୍ଷକ; ଓ ଶ୍ରୀ ସର୍ବେସ ବାରିକ, ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡକ୍ଟର ଶିବଯାଇ ସୁରୂପ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ଏ, ଡି ଏମ ଓ ), କୋରାପୁଟ, ଏହି ଉଦ୍ୟମକୁ ନେତୃତ୍ୱ ଦେଇଥିଲେ।ଅବକାରୀ ଅଧୀକ୍ଷକ ଶ୍ରୀ ପାଡ଼ି କହିଛନ୍ତି, “ନିଶାଦ୍ରବ୍ୟର ଅପବ୍ୟବହାର ସମାଜ ପାଇଁ ଏକ ଗୁରୁତର ସମସ୍ୟା। ଏହାକୁ ରୋକିବା ପାଇଁ ଜନସଚେତନତା ଅତ୍ୟନ୍ତ ଜରୁରୀ।

ଆମେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହିପରି ଅଭିଯାନ ଜାରି ରଖିବୁ।” ଡକ୍ଟର ସୁରୂପ ମଧ୍ୟ ସ୍ୱାସ୍ଥ୍ୟ ସଚେତନତାର ଗୁରୁତ୍ୱ ଉପରେ ଜୋର ଦେଇ କହିଛନ୍ତି, “ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଠିକ ଜୀବନଶୈଳୀ ମାଧ୍ୟମରେ ଆମେ ନିଶା ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିପାରିବୁ।”ଏହି ଶିବିରରେ ସ୍ଥାନୀୟ ଜନସାଧାରଣ, ବିଶେଷତଃ ଯୁବବର୍ଗ, ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ ହୋଇଥିଲେ ଏବଂ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିଥିଲେ।


ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାର ଅନ୍ୟ ଅଞ୍ଚଳରେ ମଧ୍ୟ ଏହିପରି ସଚେତନତା ଅଭିଯାନ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଯୋଜନା କରୁଛି।ଏହି ଉଦ୍ୟମ ସ୍ଥାନୀୟ ଜନଗଣଙ୍କ ମଧ୍ୟରେ ବେଶ ପ୍ରଶଂସିତ ହୋଇଛି ଏବଂ ଏକ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚିତ ହେଉଛି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button