ସଙ୍କଟକାଳୀନ ପରିଚାଳନା କମିଟିର ବୈଠକ ଗ୍ୟାସ, ପେଟ୍ରୋଲ, ଡିଜେଲକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ

ସଙ୍କଟକାଳୀନ ପରିଚାଳନା କମିଟିର ବୈଠକ
ଗ୍ୟାସ, ପେଟ୍ରୋଲ, ଡିଜେଲକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ମୋ ନଂ.୮୪୮୦୫୫୬୪୭୮
ନବରଙ୍ଗପୁର,:ତ।୧/୪/୨୬ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଙ୍କଟ କାଳୀନ ପରିଚାଲନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ଥିଲେ। ଜିଲ୍ଲାରେ ଏଲପିଜି ଗ୍ୟାସ, ପେଟ୍ରୋଲ, ଡିଜେଲ ଭଳି ଅତିଆବଶ୍ୟକ ସାମଗ୍ରୀର ଉପଲବ୍ଧ ସମ୍ପର୍କରେ ନିୟମିତ ଅନୁଧ୍ୟାନ ଉପରେ ଗୃହରେ ଆଲୋଚନା ହୋଇଥିଲା ।
ସହରାଞ୍ଚଳ ଘରୋଇ ଗ୍ୟାସ ବ୍ୟବହାରକାରୀ ୨୫ ଦିନ ଏବଂ ଗ୍ରାମାଞ୍ଚଳ ୪୫ ଦିନ ପରେ ପୁନଃ ଗ୍ୟାସ ପାଇଁ ଆବେଦନ କରିପାରିବେ
ବର୍ତ୍ତମାନ ପଞ୍ଜୀକୃତ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କୁ ରନ୍ଧନ ଗ୍ୟାସ ବିତରକଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ଜିଲ୍ଲାପାଳ ବେଆଇନ ମହଜୁଦକାରୀ, କଳାବଳାରୀ ଓ ଅତ୍ୟଧିକ ଦର ବୃଦ୍ଧି କରି ସିଲିଣ୍ଡର୍ ବିକ୍ରୟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସିଏସଓଙ୍କୁନିର୍ଦ୍ଦେଶ ଦେଇଥିଲେ। ଯେଉଁ ହୋଟେଲ, ଢାବା, କଲ୍ୟାଣମଣ୍ଡପ, ରାସ୍ତାକଡ଼ ଦୋକାନରେ ବାଣିଜ୍ୟକ ଏଲପିଜି ସିଲିଣ୍ଡର ବ୍ୟତିରକେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଛି ସଙ୍ଗେ ସଙ୍ଗେ ଜବତ କରି ତା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାରେ ଯେ ହେତୁ ଗ୍ୟାସ ସିଲିଣ୍ଡର ଯଥେଷ୍ଟ ମହଜୁଦ ରହିଛି ଏବଂ ନିୟମ ଅନୁସାରେ ବିତରଣ କରାଯାଉଛି ଏଣୁ ଜନସାଧାରଣ ବ୍ୟସ୍ତ ନ ହୋଇ, କୌଣସି ଗୁଜବରେ ବିଶ୍ବାସ ନ କରି ପ୍ରଶାସନ ଉପରେ ଭରସା ରଖିବାକୁ ଗୃହରେ ଜିଲ୍ଲାପାଳ କହିଥିଲେ ।
ସେହିଭଳି ଜିଲ୍ଲାରେ ପେଟ୍ରୋଲ, ଡିଜେଲ ପମ୍ପ ନିକଟରେ ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି ବୋଲି ସିଏସଓ ସୁଚନା ଦେଇଥିଲେ |
ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତି ମଧ୍ୟରେ ଯେଉଁ ଅସାମାଜିକ ବ୍ୟକ୍ତି ଗୁଜବ ମାଧ୍ୟମରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି, ସେଭଳି ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ |



