ଆଉ ଶୁଣିବାକୁ ମିଳୁନି ଘରଚଟିଆର କିଚିରିମିଚିରି ଶବ୍ଦ।

ଆଉ ଶୁଣିବାକୁ ମିଳୁନି ଘରଚଟିଆର କିଚିରିମିଚିରି ଶବ୍ଦ।
(ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟର ଦିଲ୍ଲୀପ ଖରା )ଆଜିର କଥା ଗାଁର ସକାଳଟିଏ ଆଗରୁ କେତେ ସୁନ୍ଦର ଥାଏ। ଆଲୋକ ଫୁଟିବା ପୂର୍ବରୁ ଘରଚଟିଆମାନଙ୍କର କିଚିରିମିଚିରି ଶବ୍ଦରେ ଅଗଣା ମୁଖରିତ ହୋଇଯାଉଥିଲା।ଛୋଟ ଛୋଟ ପିଲା ଛୁଆ ମାନେ ସେଇ ଶବ୍ଦ ଶୁଣି ଉଠୁଥିଲେ, ଆଉ ମାଆମାନେ ସେମାନଙ୍କୁ ଖୁଆଇବା ସୁଆଇବା ବେଳେ ଘରଚଟିଆକୁ ଦେଖାଇ ମଜାର ଗୀତ ଗାଉଥିଲେ।ଅଗଣା ଚାଳ ତଳେ ଘରଚଟିଆମାନେ ନିଜର ଛୋଟ ଛୋଟ ଉଆଳ ଘରରେ ବସା ବାନ୍ଧି ନିର୍ଭୟରେ ରହୁଥିଲେ। ସେମାନେ ଘରର ଏକ ସଦସ୍ୟ ପରି ଲାଗୁଥିଲେ। ପିଲାମାନଙ୍କ ସହିତ ସେମାନଙ୍କର ଅଲଗା ମିତ୍ରତା ଥିଲା।କିନ୍ତୁ ସମୟ ବଦଳିଗଲା।ଚାଳଘର ଭାଙ୍ଗି ପକ୍କା ଘର ହେଲା, ଦେଉଳୀ ଉଚ୍ଚ ହେଲା, ଆଉ ଘରଚଟିଆମାନଙ୍କର ଆଶ୍ରୟ ଧୀରେ ଧୀରେ ଲପ ପାଇଗଲା। ଯେଉଁଠି ସେମାନେ ରହୁଥିଲେ, ସେଠାରେ ଏବେ କଂକ୍ରିଟ୍ ଓ ସିମେଣ୍ଟର ଦେଉଳୀ ଛଡ଼ା କିଛି ନାହିଁ।ଏହା ସହିତ ଆସିଲା ଆଉ ଗୋଟିଏ ନୂଆ ସମସ୍ୟା—ମୋବାଇଲ୍ ଟାୱାରର ବିକିରଣ। କୁହାଯାଉଛି, ଏହା ମଧ୍ୟ ଘରଚଟିଆଙ୍କ ଜୀବନକୁ ପ୍ରଭାବିତ କରୁଛି। ଖାଦ୍ୟର ଅଭାବ, ବସା ବାନ୍ଧିବାର ଅଭାବ—ସବୁକିଛି ମିଶି ଏହି ଛୋଟ ପକ୍ଷୀଟିକୁ ଆମ ଆଖିରୁ ଅଲୋପ କରୁଛି।ଆଜି ଗାଁରେ ଘରଚଟିଆ ଦେଖିବା ମାନେ ଏକ ଦୁର୍ଲଭ ଘଟଣା ବେଳେବେଳେ ସେମାନେ ବିଦ୍ୟାଳୟ କିମ୍ବା ଘରର ଛାତ ତଳେ ବସା ବାନ୍ଧୁଥିବା ଦେଖାଯାଏ, କିନ୍ତୁ ସଫାସୁଥା ନାମରେ ସେହି ବସାକୁ ହଟାଇ ଦିଆଯାଉଛି। କେବେ ବିଲେଇଙ୍କ ଶିକାର, କେବେ ପଖାରେ ଧକ୍କା ଏଭଳି ଭାବରେ ସେମାନଙ୍କ ଜୀବନ ଶେଷ ହେଉଛି।
ତଥାପି ଆଶା ସମ୍ପୂର୍ଣ୍ଣ ମରିଯାଇନି।
କିଛି ଲୋକ ଏବେମଧ୍ୟ ଘର ଆଗରେ ବାଉଁଶ ଟୋକେଇ କିମ୍ବା ମାଟିର ହାଣ୍ଡି ଲଗାଇ ଘରଚଟିଆଙ୍କ ପାଇଁ ଆଶ୍ରୟ ତିଆରି କରୁଛନ୍ତି। କିନ୍ତୁ ସେହି ପ୍ରୟାସ ଏତେ ଛୋଟ ଯେ, ସମୁଦ୍ରକୁ ଶଙ୍ଖ ଭଳି ଲାଗୁଛି।ପ୍ରତିବର୍ଷ ମାର୍ଚ୍ଚ ୨୦ରେ ‘ଘରଚଟିଆ ଦିବସ’ପାଳନ ହୁଏ, କିନ୍ତୁ ଯଥେଷ୍ଟ ପଦକ୍ଷେପ ଦେଖାଯାଉନି। ଯଦି ସରକାର ଓ ସମାଜ ଏକାସାଥି ଏଗିଆସନ୍ତି, ଯଦି ଗାଁ ଓ ବିଦ୍ୟାଳୟ ସ୍ତରରୁ ଛୋଟ ଛୋଟ ପ୍ରୟାସ ଆରମ୍ଭ ହୁଏ,ତେବେ ଶାୟଦ୍ ପୁଣି ଫେରି ଆସିପାରେ ସେହି ପୁରୁଣା ସକାଳ ଯେଉଁଠି ଆଉଥରେ ଶୁଣିବାକୁ ମିଳିବ ଘରଚଟିଆର ସେଇ ପରିଚିତ କିଚିରିମିଚିରି ଶବ୍ଦ



