କେଶରୀଗୁଡ଼ା-ରଙ୍ଗମାଟିଗୁଡ଼ା ରାସ୍ତା ଶୋଚନୀୟ

କେଶରୀଗୁଡ଼ା-ରଙ୍ଗମାଟିଗୁଡ଼ା ରାସ୍ତା ଶୋଚନୀୟ
୨.୪କିମିରେ ୨୪୦୦ ଗର୍ଭ
ନବରଙ୍ଗପୁର, ୧୨ | ୩ : ନବରଙ୍ଗପୁର ସହର ଉପକଣ୍ଠସ୍ଥ ନନ୍ଦାହାଣ୍ଡି ବ୍ଲକର କେଶରୀଗୁଡ଼ାରୁ ରଙ୍ଗମାଟିଗୁଡ଼ା ୨.୪କିଲୋମିଟର ପ୍ରଧାନମନ୍ତ୍ରୀ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ୨.୪କିମି ରାସ୍ତାରେ ୨୪ଶହ ଗର୍ଭ ସୃଷ୍ଟି ହୋଇଛି ଫଳରେ ଯାତାୟାତରେ ସମସ୍ୟା ହେଉଥିବା ବେଳେ ସାମାନ୍ୟ ବର୍ଷା ହେଲେ ଗର୍ଭ ସ୍ଥାନରେ କୃତ୍ରିମ ପୋଖରୀ ଦେଖିବାକୁ ମିଳେ ରାସ୍ତା ଅବସ୍ଥା ଭଲ ନଥିବାରୁ ଜରୁରୀ ସମୟରେ ଆମ୍ବୁଲାନସ୍ ଯାଇପାରୁନି। ଅବଧି ସରିବା ବାହନାରେ ଠିକାଦାର ମରାମତି କରୁନି। ଗ୍ରାମ୍ୟ ବିଭାଜନ ବିଭାଗ ନୂଆ କରିବା ବାହାନାରେ ମରାମତି କରୁନି । ବିଭିନ୍ନ ବୈଠକରେ ବିଧାୟକ ଗୌରୀଶଙ୍କର ମାଝୀ ଶୋଚନୀୟ ରାସ୍ତାର ପୁନରୁଦ୍ଧାର ପାଇଁ ଡିପିଆର ପ୍ରସ୍ତୁତ କରିବାକୁ କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି। ଅପରପକ୍ଷେ ରାସ୍ତା ନିର୍ମାଣ ୨୦୨୦ ମସିହାରେ ଶେଷ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅବଧି ସରିଯାଇଛି। ତେବେ ଅବଧି ସରିବା ପରେ ବି ରାସ୍ତା ଭଲ ରହିବା କଥା କିନ୍ତୁ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ, ବଜୁରି, ମେଟାଲ ବାହାରି ପଡ଼ିଛି। ଏହି ରାସ୍ତା ଉପରେ ନିର୍ଭର ଥିବା ନବରଙ୍ଗପୁର ଓ
ନନ୍ଦାହାଣ୍ଡି ବ୍ଲକର ୭ଟି ପଞ୍ଚାୟତର ୨୫ ଗାଁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗତ ୨୦୨୦ ମସିହାରେ ପିଏମଜିଏସୱାଇ
ଯୋଜନାରେ ୨୮କୋଟି ୫୦ଲକ୍ଷ ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ପୁଣି ୨୨ଲକ୍ଷ ଖର୍ଚ୍ଚ ହୋଇଥିଲା | ତେବେ ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ରାସ୍ତାରୁ ପିଚୁ, ମେଟାଲ୍ ବାହାରି ପଡ଼ିଲାଣି। ତେଣୁ ପ୍ରତିଦିନ ଦୁର୍ଘଟଣା ହେଉଛି। ଏହି ରାସ୍ତା ଦେଇ ରଙ୍ଗମାଟିଗୁଡ଼ା ଛକରୁ
ଅଳ୍ପ ଦୂର ଗଲେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ବାସଭବନ ରହିଛି। ବିଧାୟକଙ୍କ ନିକଟକୁ ବିଭିନ୍ନ କାମରେ
ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁର ଲୋକ ଆସୁଥିବା ବେଳେ ରାସ୍ତାର ଏପରି ଅବସ୍ଥାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ରାସ୍ତାର ପୁନରୁଦ୍ଧାର ପାଇଁ ସର୍ଭେ ଆରମ୍ଭ କରି ଡିପିଆର ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଗ୍ରାମ୍ୟ ବିଭାଜନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜେଶ ସୋରେନ୍ ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



