ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳରେ ବିଧାୟକ ଓ ଜିଲ୍ଲାପାଳ

ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳରେ ବିଧାୟକ ଓ ଜିଲ୍ଲାପାଳ
ନବରଙ୍ଗପୁର |ତେନ୍ତୁଳିଖୁଣ୍ଟି, ୮/୩: ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ଵରେ ରହି ଦୀର୍ଘ ୩୬ବର୍ଷ ହେଲା ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ଗୁରୁମାଇଗୁଡ଼ା, ଝଲାଗୁଡ଼ା, ବାଗ୍ରା, ଟାଙ୍ଗିନିକୋଟ, ତଲଙ୍ଗ ଗାଁର ଗ୍ରାମବାସୀ। ଯାତାୟାତ ସୁବିଧା ନ ଥିବାରୁ ବିପଦସଂକୁଳ ଭାବେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ୧୦ କିଲୋମିଟର ଦେଶୀ ହୁଲି ଡଙ୍ଗାରେ ଜଳଯାତ୍ରା କରିବାକୁ ପଢୁଛି । ଏନେଇ ,ଖବରରେ ‘ଇନ୍ଦ୍ରାବତୀର ବିଚ୍ଛିନ୍ନାଞ୍ଚଳର ୫ ଗ୍ରାମବାସୀଙ୍କ ଜୀବନ ଦୁର୍ବିସହ, ହୁଲି ଡଙ୍ଗାରେ ଜୀବନ ଜୀବିକ। ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଆଜି ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପରିଷଦ ସିଡିଓ ବିରଚିଂନାରାୟଣ ଦରୱାନ,
ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ.ପାର୍ଥସାରଥୀ ରାଉତ, ଡିଇଓ ଛତ୍ରପତି ସାହୁ, ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ ପ୍ରମୁଖ ଗୁରୁମାଇଗୁଡ଼ା, ବାଗ୍ରା, ଟାଙ୍ଗିନିକୋଟ ଗାଁରେ ପହଞ୍ଚି
ଗ୍ରାମବାସୀଙ୍କୁ ଅଭାବ ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦୁଗୁଡ଼ା ଘାଟରେ ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ
ଯାଇଛି। ଅନୁମୋଦନ ହୋଇ ଆସିଲେ ବ୍ରିଜ୍ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏଥିସହ ୫ଖଣ୍ଡ ଗ୍ରାମବାସୀଙ୍କ ପାଇଁ ପାୱାର ବୋଟ୍ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ | ସମସ୍ତ ହିତାଧିକାରୀଙ୍କୁ ପକ୍କା ଘର ଓ ଭତ୍ତା ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ମାଝୀ କହିଥିଲେ । ଏଥିସହ ପାନୀୟ ଜଳ, ବିଜୁଳି, ସଡ଼କ, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର, ବିଇଓ ସୁଦୀପ୍ତ କୁମାର ଦାସ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭେନ୍ଦୁ ମୋହନ ବାଗ ଓ ଅମରେଶ ମହାନ୍ତି, ସ୍ଥାନୀୟ ସରପଞ୍ଚ, ତେନ୍ତୁଳିଖୁଣ୍ଟି ବ୍ଲକ କର୍ମଚାରୀ ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



