District

ବଢ଼ିଲା ଏମ୍‌ଜି ରୋଡ୍ ଓସାର, ହଟୁନି ଟ୍ରାଫିକ୍ ସମସ୍ୟା

ବଢ଼ିଲା ଏମ୍‌ଜି ରୋଡ୍ ଓସାର, ହଟୁନି ଟ୍ରାଫିକ୍ ସମସ୍ୟା

ରାସ୍ତାରେ ଚାରିଚକିଆ ଗାଡ଼ି ପାକିଂ, କଟକଣା ଶୂନ

ଜୟପୁର,,୪/୩: ଶେଷ ପର୍ଯ୍ୟୟରେ ପହଞ୍ଚିଛି ଏମ୍‌ଜି ରୋଡ୍ କାମ। ୱେଲ୍‌କମ ଛକରୁ ଗାନ୍ଧିଛକ ପର୍ଯ୍ୟନ୍ତ ପିଚୁକାମ ସରିଛି। ଏବେ ରାସ୍ତାର ଉଭୟ ପାର୍ଶ୍ଵରେ ଚାଲିଛି କଂକ୍ରିଟ କାମ। ପୂର୍ବାପେକ୍ଷା ରାସ୍ତା ଓସାରିଆ ହୋଇଛି । ହେଲେ ପୂର୍ବଭଳି ଟ୍ରାଫିକ ସମସ୍ୟା ଲାଗି ରହିଛି। ଆଗରୁ ରାସ୍ତାକଡ଼ରେ ଦୁଇଚକିଆ ପାକିଂ କରାଯାଉଥିଲା। ଓସାର ବଢିବା ପରେ ଏବେ ଚାରିଚକିଆରୁ ଆରମ୍ଭକରି ବ୍ୟବସାୟୀଙ୍କ ଭାରୀଯାନ ବି ପାକିଂ ହେଉଛି। ଯଦ୍ୱାରା ଅବସ୍ଥା ଯଥା ପୂର୍ବ ତଥା ପରଂ । ଯେଉଁ ଉଦ୍ଦେଶ୍ୟରେ ରାସ୍ତା ଓସାର କରାଯାଇଛି, ତାହା ସାଧିତ ହେଉନି ।

ଏବେଠୁ ଚାରିଚକିଆ ଯାନ ପାକିଂ ଉପରେ ଏଠାରେ କଟକଣା ଲଗାନଗଲେ ଆଗାମୀ ଦିନରେ ଏହା ଜଟିଳ ରୂପ ଧାରଣ କରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ।

ଆଗରୁ ଏମ୍‌ଜି ରୋଡ ଅଣଓସାରିଆ ଥିଲା। ଏଥିସହ ଫୁଟପାଥ ଦୋକାନ, ଦୁଇଚକିଆ ଗାଡି ପାର୍କି ଯୋଗୁ ସବୁ

ସମୟରେ ଟ୍ରାଫିକ ଜାମ୍ ରହୁଥିଲା। ଚାଲିଚାଲି ଯିବା ବି ମୁସ୍କିଲ ହୋଇପଡୁଥିଲା । ଏହାକୁ ୪୦ରୁ ୫୦ ଫୁଟ ଓସାର କରିବାକୁ ପଦକ୍ଷେପ ନେଇଥିଲା ପ୍ରଶାସନ। ଏଥିଲାଗି ରାସ୍ତାର ଉଭୟ ପାର୍ଶ୍ଵରେ ଜବରଦଖଲରେ

ଥିବା ଦୋକାନଗୁଡ଼ିକୁ ଆଶିଂକ ଭାବେ ଭଙ୍ଗାଯାଇଥିଲା। ଦୋକାନ ଭଙ୍ଗାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ବି ପରବର୍ତ୍ତି ସମୟରେ ସେମାନେ ପ୍ରଶାସନକୁ ସହଯୋଗ କରିଥିଲେ । ଦୋକାନ ଭଙ୍ଗଯିବା ପରେ ପ୍ରଥମେ ଡ୍ରେନ କାମ ଆରମ୍ଭ ହୋଇଥିଲା।

ଏହାପରେ ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରାଯାଇଥିଲା । ଏସବୁ କାମ ଲାଗି ବର୍ଷେରୁ ଅଧିକ ସମୟ ଲାଗିଥିଲା। ବର୍ତ୍ତମାନ ପିଚୁକାମ ଶେଷ ପରେ ରାସ୍ତାର ଉଭୟ ପାର୍ଶ୍ଵରେ ସଂକ୍ରିଟ କରାଯାଉଛି। ରାସ୍ତା ପୂର୍ବ ଅପେକ୍ଷା ଅଧିକ ଓସାର ହୋଇଛି। ପରିତାପର ବିଷୟ, ଅମାନିଆମାନେ ରାସ୍ତାରେ ଏବେ ଚାରିଚକିଆ ଗାଡ଼ି ପାକିଂ କରୁଛନ୍ତି । ବ୍ୟବସାୟୀମାନଙ୍କ ଭାରୀଯାନ ବି ରହୁଛି ରାସ୍ତା ଉପରେ । ଏଥିଯୋଗୁ ଟ୍ରାଫିକ ସମସ୍ୟା ସୁଧୁରିବା ପରିବର୍ତ୍ତେ ବଢିବାରେ ଲାଗିଛି। ଯଦି ଚାରିଚକିଆ ଗାଡ଼ି ମୋଟର ପାକିଂ କରି ରାସ୍ତା ଅବରୋଧ କରାଯିବ, ତାହେଲେ ରାସ୍ତା ଓସାର କରିବାର ମାନେ କିଛି ନାହିଁ । ଲେଡ଼ିଗୁଡ଼ କହୁଣୀକୁ ବୋହିବା ଆଗରୁ ଏହି ରାସ୍ତାରେ ଭାରୀଯାନ ଓ ଚାରିଚକିଆ ଗାଡ଼ି ପାର୍ଟି ଉପରେ ତୁରନ୍ତ କଟକଣା ଲଗାଇବାକୁ ଦାବି ହୋଇଛି। ଦେଖାଯାଉ, ପ୍ରଶାସନ ଏ ଦିଗରେ କେତେ ତତ୍ପରତା ଦେଖାଉଛି।

ଗୋବିନ୍ଦ ତ୍ରିପାଠୀ, ଜୟପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button