ବ୍ୟବହାରରେ ଆସୁନି ଓପନ ଜିମ୍
ବ୍ୟବହାରରେ ଆସୁନି ଓପନ ଜିମ୍
ପାଣିରେ ପଡ଼ିଲା ୫୦ଲକ୍ଷ
ନବରଙ୍ଗପୁର,୩୧/୧: ତତ୍କାଳୀନ ସରକାର ଅମଳରେ ମୁକ୍ତା (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର) ଯୋଜନାରେ ୫୦ଲକ୍ଷରୁ ଉର୍ଦ୍ଧ୍ବ ବ୍ୟୟବରାଦରେ ସହରର ବିଭିନ୍ନ ଛକ, ଖେଳପଡ଼ିଆ, ଷ୍ଟାଡିୟମ୍ ନିକଟରେ ପୌରପାଳିକା ପକ୍ଷରୁ ନିର୍ମାଣ ହୋଇଥିଲା ଓପନ ଜିମ୍। ଲକ୍ଷ୍ୟ ଥିଲା ସକାଳେ ଓ ସନ୍ଧ୍ୟାରେ ଛୋଟ ପିଲା ଠାରୁ ଆରମ୍ଭ କରି ସବୁ ବର୍ଗର
ଲୋକେ ବ୍ୟାୟମ କରି ଶରୀରକୁ ସୁସ୍ଥ କରିବେ। ହେଲେ ନବରଙ୍ଗପୁର ସହରରେ ତାହା ଫଳପ୍ରଦ ହୋଇପାରିନି କାରଣ ନିମ୍ନମାନର ଜିମ୍ ସାମଗ୍ରୀ ଆଣି ସ୍ଥାପନ କରାଯାଇଥିଲା। ତେଣୁ ଏବେ ବ୍ୟବହାରରେ ଆସୁନି ଅନେକ ସ୍ଥାନରେ ଜିମ୍ ସାମଗ୍ରୀ ଗୁଡ଼ିକ ଖରାପ ହୋଇପଡ଼ି ଥିବାରୁ ଖତ ଖାଉଛି। ଅନ୍ୟପଟେ ଓପନ ଜିମ୍ ଲୋକେ ଯାଉନଥିବା ସ୍ଥାନରେ ସ୍ଥାପନ କରାଯାଇଥିବା ଦେଖିବାକୁ
ମିଳିଛି। ମହମ୍ମଦ ବାଜି ପାର୍କରେ ନିର୍ମାଣ ହୋଇଥିବା ଓପନ ଜିମ୍ ସାମଗ୍ରୀ ଅବ୍ୟବହୃତ ହୋଇ ପଡ଼ି ରହିଛି। ସେହିପରି ଆରସିଡି ଉଚ୍ଚବିଦ୍ୟାଳୟ ପଡ଼ିଆରେ ଥିବା ଓପନ ଜିମ୍ରେ ଲତାବୁଦା ଭରି ଯାଇଛି। ଷ୍ଟାଡିୟମ୍ ପରିସରର ଓପନ୍ ଜିମ୍ ଭାଙ୍ଗିରୁଜି ଗଲାଣି। କେତେକ କଲୋନିରେ ପାର୍କ ସ୍ଥାନରେ ଯଦିଓ ଓପନ୍ ଜମି ବସାଯାଇଛି ସେଠାକୁ ରାସ୍ତା ନାହିଁ। ୧ନଂ ୱାର୍ଡର ଓପନ୍ ଜିମ୍ ନିକଟରେ ବିଷାକ୍ତ ସାପ ବୁଲିବା ବହୁ ସମୟରେ ଲୋକେ ଦେଖିଛନ୍ତି ସେହିପରି ଡିଏସ୍-୩ ଫିଲ୍ମ ହଲ୍ ନିକଟରେ ପାର୍କ ମଧ୍ୟରେ କରାଯାଇଥିବା ଓପନ୍ ଜିମକୁ କେହି ଯାଉନଥିବା ଦେଖିବାକୁ ମିଳୁନି। ଏସବୁ ଓପନ୍ ଜିମ୍ ପରିଚାଳନା ଓ ଦେଖାରଖା ଅଭାବରୁ ଖତ ଖାଉଥିବା ବେଳେ ନୂଆ ସରକାରଙ୍କ ଅମଳରେ ନୂଆ ଯୋଜନାରେ ଦୁଇଟି ଓପନ୍ ଜିମ୍ କରାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଆଉ ଦୁଇଟି କରାଯିବ ବୋଲି ସୂଚନା ମିଳିଛି। ଓପନ୍ ଜିମ୍ ସାମଗ୍ରୀର ଭିଜିଲାନ୍ସ ତଦନ୍ତ କରି ସାମଗ୍ରୀ ଗୁଡ଼ିକର ଗୁଣବତ୍ତା ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣଙ୍କୁ ପଚାରିବାରୁ ସବୁ ଓପନ୍ ଜିମର ପରିଚାଳନା କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି




