BhanjanagarDistrict

ଆନନ୍ଦ ଉଲ୍ଲାସ ସହ ଘୁମୁସର ଦିବସ ପାଳନ

ଓଡ଼ିଆ ଭାଷା ଆନ୍ଦୋଳନର ଏନ୍ତୁଡିଶାଳ ଘୁମୁସର

ଭଞ୍ଜନଗର,୧୧/୯ : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଭଞ୍ଜଭୂମି ଘୁମୁସରରୁ ଆରମ୍ଭ ହୋଇଥିଲା। ୧୮୭୦ ମସିହା ସେପ୍ଟେମ୍ବର ମାସ ୧୧ରେ ତତ୍କାଳୀନ ରସଲକୋଣ୍ଡା ବର୍ତ୍ତମାନର ଭଞ୍ଜନଗର ଠାକୁରାଣୀ ପଡ଼ିଆରେ ଘୁମୁସରର ଭାଷା ପ୍ରେମୀ, ନେତୃ ସ୍ଥାନୀୟ ବ୍ୟକ୍ତିଗଣ ଓଡିଆ ଭାଷା ଉପରେ ତେଲୁଗୁ ଭାଷାର ପ୍ରଚଳନକୁ ବିରୋଧ କରି ପ୍ରତିବାଦ ସଭା କରିଥିଲେ।

ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ରୂପ ନେଇ ଏକ ବିରାଟ ଜନଆନ୍ଦୋଳନରେ ପରିବର୍ତ୍ତନ ହୋଇଥିଲା ଆଉ‌ ଶେଷରେ ଓଡିଶା ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ତେଣୁ ସେହି ଦିନକୁ ସ୍ମୃତି ସ୍ବରୂପ ଘୁମୁସର ମାଟିର ଗର୍ବ ‌ଓ ଗୌରବ ଭାବେ ଆଜିର ଦିନକୁ ଘୁମୁସର ଦିବସ ଭାବେ ପାଳନ କରାଯାଉଥିବା ଅତିଥି ମାନେ ପ୍ରକାଶ କରିଥିଲେ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷ ପରିସରରେ ଗୁରୁବାର ଘୁମୁସର ଦିବସ ପାଳିତ ହୋଇଛି। ଆୟୋଜିତ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ସୋରଡ଼ା ବିଧାୟକ ନିଳମଣି ବିଷୋୟୀ, ଓଡ଼ିଶା କୃଷି ବିଶବିଦ୍ୟାଳୟର ପୂର୍ବତନ କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକ, ବାଲେଶ୍ୱର ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ ସମ୍ମାନିତ ଅତିଥି ଓ ଆକାଶବାଣୀ ଭୁବନେଶ୍ୱର କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ.ଶାନ୍ତନୁ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଘୁମୁସରର ଗୌରବମୟ ଇତିହାସ,ସଂସ୍କୃତି ଓ ଜିଲ୍ଲା ଗଠନ ସଂକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ।

ଓଡ଼ିଆ ଭାଷାର ଗୁରୁତ୍ବକୁ ନେଇ ୧୮୭୦ ମସିହାରେ ହୋଇଥିବା ଏହି ଐତିହାସିକ ପ୍ରଥମ ଦିନର ଘଟଣା ଏବଂ ଦିବସକୁ ସ୍ମରଣ କରି ଘୁମୁସର ଦିବସ ପାଳନ ହୋଇଥିବା ବକ୍ତାମାନେ କହିଥିଲେ। ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ଘୁମୁସରର ଅବଦାନ ଦୃଷ୍ଟିରୁ ଏହା ଜିଲ୍ଲା ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ରଖିଥିବାରୁ ତୁରନ୍ତ ସରକାର ଏହାକୁ ଜିଲ୍ଲା ଘୋଷଣା ପାଇଁ ଦାବି ମଧ୍ୟ କରିଥିଲେ। ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚକରା ବିଷୋୟୀ, ଉପେନ୍ଦ୍ର ଭଞ୍ଜଙ୍କ ସମେତ ଘୁମୁସର ଇତିହାସ ଓ ଏହାର ସାଂସ୍କୃତିକ ସମ୍ପଦର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ବୋଲି କହିଥିଲେ।

ସରକାର ଗଞ୍ଜାମ ଜିଲ୍ଲାକୁ ବଡଭାଇର ଗୁରୁତ୍ବ ଦେଇ ସର୍ବାଧିକ ମୁନସିପାଲଟି ଓ ୨ଟି ଏନ୍‌ଏସି ଘୋଷଣା କରିଥିବା ବେଳେ ଜିଲ୍ଲା ଗଠନ ସମୟରେ ମଧ୍ୟ ଏହି ଅଞ୍ଚଳର ପ୍ରାଧ୍ୟାନ୍ୟ ରହିବ ବୋଲି କହିଥିଲେ। ଏହି ଅବସରରେ ବୁଗୁଡା କରଚୁଲିର ସତ୍ୟାନନ୍ଦ ଗିରି ମହନ୍ତ ମହାରାଜ,ମଣିପୁରରେ କାର୍ଯ୍ୟରତ ଏସ୍‌ପି ବବିତା ସ୍ବାଇଁ,କବି ପ୍ରଶାନ୍ତ କୁମାର ମହାନ୍ତି, ଇ.ଯାମିନୀକାନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରବି ଦାସଙ୍କ ନିର୍ଦ୍ଦେଶନାରେ ରୀତି ସ୍ନିଗ୍ଧା ପ୍ରଧାନ ଓ ଉଦିତ ଦାସଙ୍କ କଣ୍ଠରେ ରେକର୍ଡ ହୋଇଥିବା ‘ଘୁମୁସର ବନ୍ଦନା’ ସଙ୍ଗୀତ ଉନ୍ମୋଚିତ ହୋଇଥିଲା।

ଅପରାହ୍ନ ଅଧିବେଶନରେ ଐତିହାସିକ ଡ.ଶ୍ୟାମା ପ୍ରସାଦ ମିଶ୍ର,ବାଲ୍ମିକୀ ପଟ୍ଟନାୟକ,ବାୟାମନୁ ଚର୍ଚ୍ଚି, ଡ.ଅନନ୍ତରାମ କର କୌଣ୍ଡିନ୍ୟ,ବ୍ରଜକିଶୋର ପାଢ଼ୀ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ମନ୍ମଥ ଶତପଥୀ,ଡ. ସ୍ଥିତଧି ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଡ଼.ସୁରେଶଚନ୍ଦ୍ର ପଣ୍ଡା,ପ୍ରକାଶ ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ଲେଙ୍କା,ସୁଶାନ୍ତ କୁମାର ପାତ୍ର,ସୁରେନ୍ଦ୍ର ନାଥ ବେହେରା,ରବି ନାରାୟଣ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ମୁଖ୍ୟ ସଡକରେ ବିଭିନ୍ନ ପାରମ୍ପରିକ ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ହନୁମାନ ମନ୍ଦିର ଛକ ଠାରେ କଣ୍ଢେଇ ନୃତ୍ୟ ପ୍ରଦର୍ଶନ ହୋଇଥିଲା।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button