ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲିଲେ ଚାରି ଜିଲ୍ଲାର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

କୋରାପୁଟ, ୧୯/୦୮: କୋରାପୁଟ ସ୍ଥିତ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର୍ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାରିଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ମାଲକାନଗିରିର ସମସ୍ତ ବ୍ଲକର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମାନେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ।
ନେତାମାନଙ୍କ କହିବା ହେଲା, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସରକାର ଅବମାନନା କରୁଛନ୍ତି। ପୂର୍ବତନ ସରକାର ୧୦ ହଜାରରୁ ବୃଦ୍ଧି କରି ୨ ଲକ୍ଷ ପର୍ଯ୍ୟନ୍ତ କାଉଣ୍ଟର ସହି (counter signature) ଅଧିକାର ଦେଇଥିଲେ। କିନ୍ତୁ ବର୍ତ୍ତମାନ ସରକାର ୨୦ ଲକ୍ଷରୁ ଅଧିକ ମୂଲ୍ୟର କାମକୁ କାଉଣ୍ଟର ସହି କରିବାକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିଛି।
ଏହାକୁ ନେଇ ଅଧ୍ୟକ୍ଷା ଉପାଧ୍ୟକ୍ଷାମାନେ ସରକାରକୁ ସତର୍କ କରିଦେଇ କହିଛନ୍ତି ଯେ ଆମେ ଲୋକଙ୍କର ସରକାର,ଆମକୁ ଅବହେଳା କରିବାକୁ ସହିବୁନି। ଯଦି ତୁରନ୍ତ ସମାଧାନ ନହେଲେ ଆସନ୍ତାଦିନରେ ବ୍ଲକ ଅଫିସକୁ ତାଲା ପକାଇବୁ।ଅବିଭକ୍ତ କୋରାପୁଟ ଜିଲ୍ଲାର ପକ୍ଷରୁ ଚାରି ଜଣ ପ୍ରତିନିଧିଙ୍କୁ ଚୟନ କରାଯାଇଥିଲା। ବୈଠକରେ କୋରାପୁଟର ଶ୍ରୀ ତ୍ରିନାଥ ଗଲାଡ଼ି, ଶ୍ରୀ ତାପସ କୁମାର ଚାଲାଣ ଏବଂ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ହନ୍ତାଳ ପରିଚାଳନା କରିଥିଲେ।