
ଭଞ୍ଜନଗର,୧୫/୬ : ଓଡ଼ିଶା ଅଣ ଗେଜେଟେଡ୍ ବନ ସେବା ସଂଘ ପକ୍ଷରୁ ୩ଦଫା ଦାବି ନେଇ ରବିବାର କଳାବ୍ୟାଜ ପିନ୍ଧି ବିକ୍ଷୋଭ ପରଦର୍ଶନ କରାଯାଇଛି। ବିଭିନ୍ନ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ପୂର୍ବ ନିଷ୍ପତି ପ୍ରକାରେ ଆଜି ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି କଳାବ୍ୟାଜ ପରିଧାନ କରି କାମ କରିବେ। ଏହି ସମୟରେ ଜାରି ରହିଥିବା କାମକୁ ବାଦ ଦେଲେ କୌଣସି ନୂଆଁ କାମ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ସରକାର ଏହାରି ମଧ୍ୟରେ ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ଆସନ୍ତା ୨୨ ତାରିଖ ଠାରୁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଜଣାଇଛନ୍ତି। ସେମାନଙ୍କ ଦାବି ଅନୁଯାୟୀ ଢେଙ୍କାନାଳା ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କ ହତ୍ୟାକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ ସହ ସରକାର ତୁରନ୍ତ ଫରେଷ୍ଟ କମିଶନ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିବା ଓ ପୁଲିସ ଭଳି ଅନ୍ୟାନ୍ୟ ସେବାରେ ମିଳୁଥିବା ସୁବିଧା ସୁଯୋଗ ପ୍ରଦାନ ବନ ବିଭାଗ କର୍ମଚାରୀଙ୍କୁ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ରାଜ୍ୟ ସଂଘର ନିଷ୍ପତି କ୍ରମେ ସମସ୍ତ ପଦକ୍ଷେପ ଆଗାମୀ ଦିନରେ ଗ୍ରହଣ କରିବା ପାଇଁ ବ୍ରହ୍ମପୁର ସର୍କଲ ଅଧିନ ବିଭିନ୍ନ ବନଖଣ୍ଡରେ ରହିଥିବା ସଂଘର କର୍ମକର୍ତ୍ତା ମାନେ ଚଳିତ ମାସ ପହିଲାରେ ଭଞ୍ଜନଗର ଠାରେ ଏକତ୍ରୀତ ହୋଇ ରୂପରେଖ ପ୍ରସ୍ତୁତ କରିଥିଲେ। ଏଥିରେ ସର୍କଲ ସଭାପତି ଅନୁପ କୁମାର ବିଷୋୟୀଙ୍କ ସମେତ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ସଭାପତି ସନ୍ତୋଷ ପାତ୍ର,ସମ୍ପାଦକ ପ୍ରଦ୍ୟୁମ୍ନ ବିଷୋୟୀ, ଅଭିମନ୍ୟୁ ମଳିକ,କାହ୍ନୁ ଚରଣ ଖଟେଇ,ସୁଶୀଲ ରାଉତ,ସୁଶାନ୍ତ ମିଶ୍ରଙ୍କ ସମେତ ବହୁ ବନପାଳ,ବନରକ୍ଷୀ ମାନେ ଏଥିରେ ସାମିଲ ହୋଇଥିଲେ।