ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା

ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା
ନବରଙ୍ଗପୁର :- ଡାବୁଗାଁ ଅଂଚଳରେ ବାରମ୍ବାର ବିରୋଧ ସତ୍ତ୍ବେ ବେଆଇନ ଦେଶୀ ମହୁଲି ମଦ ରନ୍ଧା ଓ ବିକ୍ରି ଚାଲୁ ରହିଛି। ଏହାର ପ୍ରତିବାଦରେ ଆଜି ନବରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ଅବକାରୀ ଟିମ୍ ଡାବୁଗାଁର ବିଭିନ୍ନ ସାହିରେ ଚଢ଼ଉ କରିଛନ୍ତି। ତେବେ ନୂଆଗୁଡ଼ାରେ ଚଢ଼ଉ ସମୟରେ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ସହ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଉତ୍ୟକ୍ତ ମହିଳାମାନେ ବେଆଇନ ମଦ ବିକ୍ରେତାଙ୍କୁ ଚିହ୍ନଟ କରିବା ସହ ମହୁଲ ପୋଚ ଆଣି ରାସ୍ତାରେ ନଷ୍ଟ କରିଥିଲେ । ନୂଆଗୁଡ଼ା ଓ ଭେଲୁଆଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨୩ ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ବେଳେ ୮୦୦ ଲିଟର ପୋଚ ନଷ୍ଟ କରିଥିଲେ । ମହିଳାମାନେ ଠେଙ୍ଗାବାଡ଼ି ଧରି ପୋଚ ନଷ୍ଟ କରିଥିଲେ। ବେଆଇନ ମଦ କାରବାର କରୁଥିବା ୩ ଜଣଙ୍କ ବିରୁଦ୍ଧରେ ପୃଥକ୍ ପୃଥକ୍ ଅବକାରୀ ମାମଲା ରୁଜୁ ହୋଇଥିଲା । କେବଳ ଦୁଇଟି ସାହିରେ ଏତେ ପରିମାଣର ବେଆଇନ ମହୁଲି ମଦ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ କିଛି ମଦ ଦୋକାନୀ ଘରର କବାଟ ବନ୍ଦ କରି ଚାଲିଯାଇଥିଲେ । ଏହି ଚଢ଼ଉରେ ଉମରକୋଟ ଇନ୍ସପେକ୍ଟର ରଞ୍ଜୁଲତା ବାରିକ, ଡାବୁଗାଁ ଓଆଇସି ସମୀର କୌଶଲ୍ୟା, ରାଇଘର ଏଏସଆଇ ରାମ ଭତରା, ଅବକାରୀ କର୍ମଚାରୀ ବିବେକାନନ୍ଦ ସାହୁ, ରମେଶ ପ୍ରଧାନ, ଗତୁଲ ନାୟକ, ସୁରେଖା ଭତରା, ଟୁକୁ ଦଳେଇ, ଦେବାଶିଷ ଦାସ ଓ ଅନନ୍ତ ମଲ୍ଲିକ ସାମିଲ ଥିଲେ।ସୂଚନା ଥାଉକି, ଡାବୁଗାଁରେ ବେଆଇନ ମଦ ବିକ୍ରି ବନ୍ଦ କରିବା ପାଇଁ ବିଭିନ୍ନ ସାହିର ଶତାଧିକ ମହିଳା ଗତ ୮ ତାରିଖରେ ଥାନା ଓ ଅବକାରୀ ବିଭାଗକୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନ ନେଲେ ଆଇନକୁ ହାତକୁ ନେବା ପାଇଁ ମହିଳାମାନେ ଚେତାବନୀ ଦେଇଥିଲେ |



