କିଡନୀ ଓ ହୃଦରୋଗ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସଜୟ ଦାସ ନାୟକଙ୍କ ମୃତ୍ୟୁ

କିଡନୀ ଓ ହୃଦରୋଗ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସଜୟ ଦାସ ନାୟକଙ୍କ ମୃତ୍ୟୁ
(ଓଡି଼ଶା ଷ୍ଟେଟ୍ ନ୍ୟୁଜ୍ ଦିଲ୍ଲୀପ ଖରା ରିପୋର୍ଟର)କୋରାପୁଟ ଜିଲ୍ଲା ସୁନାବେଡା ମୁନିସିପାଲିଟି ଅଧୀନ ଖଣ୍ଡାପାବିଲି ପାହାଡ଼ ଅଞ୍ଚଳରେ ବସୋବାସ କରୁଥିବା ଜଣେ ଗରିବ ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।
ସୂଚନା ଅନୁସାରେ, ବୈରିଗୁମା ବ୍ଲକ ଅଞ୍ଚଳର ଖ୍ରୀଷ୍ଟ ଦାସ ନାୟକଙ୍କ ପୁଅ ସଜୟ ଦାସ ନାୟକ ଦୀର୍ଘଦିନ ଧରି କିଡନୀ ଓ ହୃଦରୋଗରେ ପୀଡିତ ଥିଲେ। ଚିକିତ୍ସା ପାଇଁ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ଯଥାପ୍ରକାର ଚିକିତ୍ସା କରାଇ ପାରୁନଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଖଣ୍ଡାପାବିଲି ସାହିର ପଡୋଶୀ ଓ ସ୍ଥାନୀୟ ଲୋକମାନେ ତାଙ୍କୁ କୋରାପୁଟ ମେଡିକାଲ୍ କଲେଜକୁ ନେଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତକଙ୍କ ପରିବାରରେ ତାଙ୍କ ଘରଣୀ ଓ ଗୋଟିଏ କୁନି ଝିଅ ରହିଛନ୍ତି। ପରିବାରର ଏକମାତ୍ର ଉପାର୍ଜନକାରୀଙ୍କ ମୃତ୍ୟୁ ପରେ ପରିବାର ଦୁଃଖରେ ଭାଙ୍ଗି ପଡିଛି। ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏହି ପରିସ୍ଥିତିରେ ସରକାର ମୃତକଙ୍କ ଘରଣୀ ଓ କୁନି ଝିଅଙ୍କୁ ଆର୍ଥିକ ସହାୟତା ସହ ସରକାରୀ ସୁବିଧା ଯୋଗାଇବାକୁ ଅଞ୍ଚଳବାସୀମାନେ ଅନୁରୋଧ କରିଛନ୍ତି।



