
ସେମିଳିଗୁଡ଼ା, ୨୧/୦୯: ପିସ୍ତଲ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେବା ଅଭିଯୋଗରେ ୨ ନାବାଳକଙ୍କ ସହ ୫ ଜଣଙ୍କୁ ଧରିଛି। ୨ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ନିକଟରେ ହାଜର କରିଥିବା ବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍ପି ଅମ୍ବିତ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କୁନ୍ଦୁଲି ସ୍ଥିତ ବିଦେଶୀ ମଦ ଦୋକାନର କର୍ମଚାରୀ ମଧୁ ସୁଦନ ମହାନ୍ତି ୧୭ ତାରିଖ ସନ୍ଧ୍ୟାରେ ଫେରୁଥିବା ବେଳେ ନବ ନିର୍ମିତ ଭାରତ ମାଳା ଏକ୍ସପ୍ରେସ ହାଇୱେ ବାଙ୍ଗରୁଗୁଡ଼ା ଛକ ନିକଟରେ ୫ ଜଣ ଅଜଣା ଯୁବକ ତାଙ୍କୁ ଅଟକାଇ ପିସ୍ତଲ ଦେଖାଇ ଏକ ଭିଭୋ କମ୍ପାନୀର ଭି-୭୨ ମୋବାଇଲ ଫୋନ୍ ଏବଂ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଥିଲେ | ଶ୍ରୀ ମହାନ୍ତି ତୁରନ୍ତ ଏ ସମ୍ପର୍କରେ ସେମିଳିଗୁଡ଼ା ଥାନାରେ ଏତଲା ଦେବା ପରେ ସବ୍ ଇନ୍ସପେକ୍ଟର ବାବାଜୀ କହଁରଙ୍କ ନେତୃତ୍ବରେ ଏକ ଟିମ୍ ଛାନଭିନ ଆରମ୍ଭ କରିଥିଲେ |
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ଅଚାନକ ଚଢ଼ଉ କରି ପଟ୍ଟାଙ୍ଗି ଥାନା ଗାଙ୍ଗରାଜପୁର ଗ୍ରାମର କୁନା ବାଙ୍କା (୨୯), ପଟ୍ଟାଙ୍ଗି ହରିଜନ ସାହିର ଅମର ଖୋସଲା ଓରଫ ରୋହିତ ଖୋସଲା (୧୯) ଏବଂ ସେମିଳିଗୁଡା ଥାନା ପିତାଗୁଡ଼ା ପଞ୍ଚାୟତ ଡମ୍ବଗୁଡ଼ା ଗ୍ରାମର ଆକାଶ କୁଲଦୀପ (୨୮) ସମେତ ଅନ୍ୟ ୨ ଜଣ ନାବାଳକଙ୍କୁ ଥାନାକୁ ଆଣି ଜେରା କରିବା ପରେ ସେମାନେ ଡକାୟତି କରିଥିବା ସ୍ବୀକାର କରିଥିଲେ |
ସେମିଳିଗୁଡା ପୁଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ ବିଏନଏସ ଆଇନ ଅନ୍ତର୍ଗତ ଧାରା ୩୧୦(୨), ଆର୍ମ ପାକ୍ଟ ୨୫/୨୬ ରେ ମାମଲା ରୁଜୁ କରି ତିନିଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଇଛନ୍ତି |
ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୯୬୦୦ ଟଙ୍କା, ଏକ ବାଇକ, ଗୋଟିଏ କାର ଏବଂ ୯ ଏମଏମ ପିସ୍ତଲ ଭଳି ଦେଖାଯାଉଥିବା ଗୁଳି ନଥିବା ଏକ ହାତ ତିଆରି ପିସ୍ତଲ ଜବତ କରିଥିବା ଅତିରିକ୍ତ ଏସପି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ।