
ସେମିଳିଗୁଡା, ୨୧/୦୯: ଲୁଟ ଅଭିଯୋଗରେ କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ କୋରାପୁଟ ଟାଉନ ଥାନା ପରଜା ଲିମିକା ଗ୍ରାମର ଦୁଇ ଭାଇ ବୁଲୁ ଟାକ୍ରି (୨୭) ଦୈତାରୀ ଟାକ୍ରୀ (୨୯) ଏବଂ ସୁନାବେଡ଼ା ଥାନା ଚେରେଙ୍ଗାଗୁଡ଼ା ଗ୍ରାମର ସଞ୍ଜୟ କୁଲଦୀପ ବୋଲି ଜଣା ପଡ଼ିଛି।
ପୁଲିସ ନିକଟରୁ ହସ୍ତଗତ ସୂଚନା ଅନୁଯାୟୀ ୧୪ ତାରିଖ ଅପରାହ୍ନରେ ନନ୍ଦପୁର ରୋଡ଼ରେ ଥିବା ରେଲିଆନ୍ସ ପଏଣ୍ଟର ଗୌତମ ଗୁପ୍ତା ଭାରତ ମାଳା ଏକ୍ସପ୍ରେସ ହାଇୱେ ଦେଇ ପଟ୍ଟାଙ୍ଗି ଠାରୁ ସେମିଳିଗୁଡା ଫେରୁଥିଲେ। ସେହି ସମୟରେ ଦୁଇଜଣ ଯୁବକ ଓଡି ୧୦ ଏନ୍ ୧୧୧୮ ନମ୍ବର ଏକ ୟାମା ସଲୁଟୋ ବାଇକରେ ଆସି ଗୌତମ ଗୁପ୍ତାଙ୍କ ଗାଡ଼ି ବଳ ପୂର୍ବକ ଅଟକାଇ ଥିଲେ।
ଗାଡ଼ି ଅଟକାଇବା ପରେ ଅଳ୍ପ ଦୂରରେ ଏକ କାରରେ ଥିବା ଅନ୍ୟ ଜଣେ ସେଠାରେ ପହଞ୍ଚିବା ପରେ ସମସ୍ତେ ମିଶି ଗୌତମଙ୍କ ଠାରୁ ୮୦୦୦ ଟଙ୍କା ଲୁଟି ନେବା ସହ ମୋବାଇଲ ଫୋନ୍ ମାଗି କେତେ ଟଙ୍କା ଅଛି ବୋଲି ଫୋନ୍ ପେ ଯାଞ୍ଚ କରିଥିଲେ।
ହେଲେ ଫୋନ୍ ପେରେ କିଛି ନଥିବାରୁ ମୋବାଇଲ ଫୋନ୍ ଫେରାଇ ଦେଇ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ଫେରାର ହୋଇ ଯାଇଥିଲେ। ତେବେ ଲୁଟର ଶିକାର ହୋଇଥିବା ଗୌତମ ଅତି ଚତୁରତା ସହକାରେ ମୋବାଇଲରେ କାରର ଫଟୋ ଉଠାଇ ନେଇଥିଲେ।
ପରେ ସେଠାରୁ ଆସି ଘଟଣା ସମ୍ପର୍କରେ ସେମିଳିଗୁଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କାର ଫୋଟରୁ ନମ୍ବର ଜାଣି ତଲାସି ଆରମ୍ଭ କରିଥିଲେ। ଅଭିଯୁକ୍ତ ବ୍ୟବହାର କରିଥିବା ଓଡି ୦୫ ଏପି -୧୫୯୨ ନମ୍ବର କାର ସେମିଳିଗୁଡା ସହରରେ ବୁଲୁଥିବା ବେଳେ ପୁଲିସ ଉକ୍ତ କାର ସହ ବୁଲୁ ଟାକ୍ରିକୁ ଧରିବାରେ ସକ୍ଷମ ହୋଇଥିଲେ।
ପରବର୍ତ୍ତୀ ସମୟରେ ବୁଲୁ ଠାରୁ ତଥ୍ୟ ନେଇ ଦୈତାରି ଟାକ୍ରି ଏବଂ ସଞ୍ଜୟ କୁଲଦୀପକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ କାର, ବାଇକ ଓ ନଗଦ ୫ ହଜାର ଟଙ୍କା ଜବତ କରା ଯାଇଥିଲା। ଅଭିଯୁକ୍ତ ମାନଙ୍କ ବିରୋଧରେ ବିଏନଏସ ୩୦୯(୬) ରେ ଏକ ମାମଲା (କେଶ ନଂ ୧୧୯/୨୫) ରୁଜୁ କରି ତଦନ୍ତ ଚାଲିଥିବା ବେଳେ ଗିରଫ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।