ନାବାଳିକା କୁ ଅପହରଣ ଅଭିଯୋଗ ; ଜଣେ ଗିରଫ

ଭଞ୍ଜନଗର,୧୧/୯: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରେ ଜଣେ ନାବାଳିକାକୁ ଖରାପ ଉଦ୍ଦେଶ୍ୟରେ ଅପହରଣ କରି ନେବା ଅଭଯୋଗରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ନାବାଳିକାଙ୍କ ମାଆଙ୍କ ଅଭିଯୋଗ ପ୍ରକାରେ କେସ୍ ନମ୍ବର ୩୩୮/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଶୁବଳବାଡି ଗ୍ରାମର ସୁଶାନ୍ତ ସେଠୀ(୫୫) ଓରଫ ସୁରେନ୍ଦ୍ର ମୁଳି ଓରଫ ରଞ୍ଜିତ ସାହୁକୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରାଯିବା ସହ ତା ନିକଟରୁ ଏକ ସ୍କୁଟି,୧୧୩୦ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ,ମଙ୍ଗଳବାର ସକାଳ ସମୟରେ ପ୍ରାୟ ୧୦ ବର୍ଷର ନାବାଳିକାକୁ ଜଣେ ଅଜଣା ବ୍ୟକ୍ତି ସ୍କୁଟିରେ ବସାଇ ନେଉଥିବା ବେଳେ ନାବାଳିକା ଜଣକ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକ ତାକୁ ଅଟକାଇଥିଲେ। ଏହାପରେ ପୁଲିସ୍ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଥାନାକୁ ନେଇଥିଲେ। ଉକ୍ତ ନାବାଳିକାଙ୍କ ବାପା ବେଙ୍ଗଲୋରରେ ରହି କାମ କରୁଥିବା ବେଳେ ତାର ମାଆ ଜମିକୁ କାମ କରିବାକୁ ପଳାଇଥିଲେ। ଏହି ସମୟରେ ଜେଜେ ମାଆ ମଧ୍ୟ ଲୁଗା ସଫା କରିବାକୁ ପଳାଇଥିଲେ। ନାବାଳିକା ଏକୁଟିଆ ଥିବା ଦେଖି ଜୋର ଜବରଦସ୍ତ ତାକୁ ଅପହରଣ କରି ନେଉଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନାବାଳିକାକୁ ଦୁଷ୍କର୍ମ କିମ୍ବା ବାହାରକୁ ଚାଲାଣ କରିବା ଉଦ୍ଦେଶ୍ୟରେ ନେଇ ଯିବା ସମୟରେ ଧରାପଡିଥିବା ଜଣାପଡିଛି।