ଭର୍ତ୍ତି ହେଲା ଡହ ଡ୍ୟାମ ; ଗୋଟିଏ ଗେଟରେ ଜଳ ନିଷ୍କାସନ

ଭଞ୍ଜନଗର,୦୨/୯ : ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ଥିବା ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଡହ, ଭଞ୍ଜନଗର ଓ ସୋରଡ଼ା ଜଳଭଣ୍ଡାରର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।
ବର୍ତ୍ତମାନ ପରିସ୍ଥିତିରେ ବର୍ଷା ଲାଗି ରହିଥିିବାରୁ ଜଳଭଣ୍ଡାରରେ ଶତପ୍ରତିଶତ ପାଣି ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଡହ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇଛି।
ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଡହ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୧୯୫.୦୦ ହେକ୍ଟୋମିଟର ରହିଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ୯୮ ପ୍ରତିଶତ ପାଣି ଜଳଭଣ୍ଡାରରେ ଗଚ୍ଛିତ ରହିଥିଲା। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାରରେ ଶତପ୍ରତିଶତ ଜଳ ପୂର୍ଣ୍ଣ ହେବାର ସମ୍ଭାବନା ଥିବାରୁ ପ୍ରଥମ ପର୍ଯ୍ୟାୟରେ ଡ଼ହ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇ ପାଣି ଛଡା ଯାଇଛି। ମଙ୍ଗଳବାର ଅପରାହ୍ନରେ ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି।
ଏନେଇ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ଡହ ଓ ଲୋହରାଖଣ୍ଡି ନଈକୂଳିଆ ଗ୍ରାମବାସୀ ତଥା ସର୍ବ ସାଧାରଣଙ୍କୁ ସତର୍କ କରାଯାଇଛି। ବିଶେଷକରି ଲୋହରାଖଣ୍ଡି ନଦୀରେ ଉଦ୍ବୃତ୍ତ ଜଳ ପ୍ରବାହିତ ହେଲେ ଏହାର ପ୍ରଭାବ ଭଞ୍ଜନଗର ବ୍ଲକ୍ର ଡୁମାକୁମ୍ପା, ସାନକୋଦଣ୍ଡା, ବଡ଼କୋଦଣ୍ଡା, ବାଉଁଶଲୁଣ୍ଡି ପଞ୍ଚାୟତ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ଦୃଷ୍ଟିରୁ ଜଳସମ୍ପଦ ବିଭାଗ ପକ୍ଷରୁ ଏସବୁ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ଙ୍କୁ ସୂଚନା ଦିଆଯାଇଥିବା ଡ଼ହ ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ଇଂ ପଞ୍ଚୁ ବେହେରା ସୂଚନା ଦେଇଛନ୍ତି।