ପୂରୁଣ। ପ।ଇପ ପଟାଇ ଦେଲ। ଠିକାଦାରଙ୍କ ସଂସ୍ଥା
ପୁରୁଣା ପାଇପ୍ ଫଟାଇଦେଲା ଠିକାସଂସ୍ଥା
୪ ମାସ ହେଲା ମେଣ୍ଡରାରେ ଜଳ ଯୋଗାଣ ବନ୍ଦ
ଡାବୁଗାଁ,୧/୯: ଡାବୁଗାଁ ବ୍ଲକ ବୋରିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମେଣ୍ଡରା ଗ୍ରାମରେ ଗତ ୪ ମାସ ହେଲା ବସୁଧା ପ୍ରକଳ୍ପରୁ ଜଳ ଯୋଗାଣ ବନ୍ଦ ରହିଛି। ମେଗା ପ୍ରକଳ୍ପ ପାଇଁ ଏଲଆଣ୍ଡଟି କମ୍ପାନି ରାସ୍ତାରେ ପାଇପ୍ ବିଛାଇବା ସମୟରେ ପୁରୁଣା ପ୍ରକଳ୍ପର ପାଣି ପାଇପ୍ ଫଟାଇ ଦେଇଥିବାରୁ ଜଳ ଯୋଗାଣ ବନ୍ଦ ରହିଛି। ଯାହାଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
ଡାବୁଗାଁ ବ୍ଲକର ୧୨ଟି ଗ୍ରାମପଞ୍ଚାୟତ ଓ ଝରିଗାଁ ବ୍ଲକର ୧୨ଟି ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ବିଛାଯାଇ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏଲଆଣ୍ଡଟି କମ୍ପାନି କାର୍ଯ୍ୟ ହାତକୁ ନେଇଛି। ଏଥିପାଇଁ ୨୪୮ କୋଟି ୧୬ ଲକ୍ଷ ବ୍ୟୟବରାଦ ହୋଇଛି। ବର୍ତ୍ତମାନ ଏହି ମେଗା ପ୍ରକଳ୍ପ ପାଇଁ ଗାଁ ଗାଁରେ ଭୂତଳ ପାଇପ୍ ବିଛାଇଥିବା କାର୍ଯ୍ୟ ଜାରି ରହିଛି। ତେବେ ନୂଆ ପ୍ରକଳ୍ପ ପାଇଁ ଗାଁ ଗାଁରେ ରହିଥିବା ପୁରୁଣା ପ୍ରକଳ୍ପର ପାଇପ୍ ବାରମ୍ବାର ଫଟାଉଥିବା ଅଭିଯୋଗ ହୋଇଛି। ଡାବୁଗାଁ ପଞ୍ଚାୟତ ଅନ୍ତର୍ଗତ
ଚିକିଲି ଗ୍ରାମରେ କାର୍ଯ୍ୟ କରିଥିବା ଏଲଆଣ୍ଡଟି କମ୍ପାନି ପୁରୁଣା ଭୂତଳ ପାଇପ୍ ପୂର୍ବରୁ ଫଟାଇଥିବା ବେଳେ ବର୍ତ୍ତମାନ ମେଣ୍ଡରା ଗ୍ରାମରେ ଗତ ଏପ୍ରିଲ୍ ମାସରୁ ପୁରୁଣା ପ୍ରକଳ୍ପର ପାଇପ୍ ପଟାଇ ଦେଇଛି।
ଯାହାଫଳରେ ଗତ ୪ ମାସ ହେଲା ମେଣ୍ଡରା ଗ୍ରାମରେ ଜଳ ଯୋଗାଣ ସମ୍ପୂର୍ଣ ବନ୍ଦ ହୋଇଛି ମେଣ୍ଡରା ସ୍କୁଲ ନିକଟରେ ଥିବା ପ୍ରକଳ୍ପରୁ ମେଣ୍ଡରା ଗ୍ରାମ ସହ ବୁଚିଆ ସାହି, ମାଝିଗୁଡ଼ା, ଚାରପଦରିଆଗୁଡା, ଚଚରାଗୁଡ଼ା ଓ ମେଣ୍ଡରା ଗ୍ରାମର ସରକାରୀ
ପ୍ରାଥମିକ ବିଦ୍ୟାଳୟ ଅଞ୍ଚଳକୁ ଜଳ ଯୋଗାଣ ହେଉଥିଲା । ମେଗା ପ୍ରକଳ୍ପ ପାଇଁ କମ୍ପାନି ମେଣ୍ଡରା ଗ୍ରାମର ବିଶୋଇ ସାହି ଠାରୁ ଗ୍ରାମର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପ୍ରାୟ ଏକ କିମି ରାସ୍ତାର ପୁରୁଣା ପାଇପ୍ ଗୁଡ଼ିକୁ ଫଟାଇ ଦେଇଛି। ଏପରିକି ଗ୍ରାମର ରାସ୍ତା ମଝିରେ ଗାତ ଖୋଳି ପାଇପ୍ ବିଛାଯାଇଥିବାରୁ ଆଗକୁ ରାସ୍ତା ସମ୍ପ୍ରସାରଣ ଓ ଡ୍ରେନ୍ କାର୍ଯ୍ୟ କରିବା ସମୟରେ ସମସ୍ୟା ସୃଷ୍ଟି ହୋଇପାରେ । ଗ୍ରାମବାସୀ ସଂପୃକ୍ତ ଠିକା କମ୍ପାନିକୁ ବାରମ୍ବାର ଫଟା ପାଇପ୍ ମରାମତି କରିବାକୁ ଗୁହାରି କରୁଥିଲେ ସୁଦ୍ଧା ନିରବ ରହିଛନ୍ତି। ଅନ୍ୟପକ୍ଷରେ ମେ ମାସ ୨୦୨୫ରେ ମେଗା ପ୍ରକଳ୍ପ କାର୍ଯ୍ୟ ସମାପ୍ତି ନେଇ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏଲଆଣ୍ଡଟି କମ୍ପାନି ବ୍ଲକର ପ୍ରାୟ ୫୦ ପ୍ରତିଶତ ଗ୍ରାମରେ ପାଇପ୍ ବିଛାଇବା କାର୍ଯ୍ୟ ସାରିଛି। ତେଣୁ ମେଗା ପ୍ରକଳ୍ପ କାମ କେବେ ଶେଷ ହେବ ଏବଂ ଅଞ୍ଚଳବାସୀ ସ୍ବଚ୍ଛ ପିଇବା ପାଣି ପାଇବେ ତାକୁ ନେଇ ସନ୍ଦେହରେ ରହିଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।